ପାଞ୍ଚ ରାଜ୍ୟରେ ବିପର୍ଯ୍ୟୟ ପରେ କଂଗ୍ରେସ ନେତୃତ୍ବ ଉପରେ ପୁଣି ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ଶାସନ ଏବେ କେବଳ ଦୁଇଟି ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ଼ରେ ସୀମିତ ରହିଯାଇଛି। ମଇ ୨୦୧୪ ଲୋକସଭା ନିର୍ବାଚନରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିଲେ, ସେତେବେଳେ କଂଗ୍ରେସ ଶାସିତ ରାଜ୍ୟ ସଂଖ୍ୟା ନଅ ଥିଲା। ଅନ୍ୟପକ୍ଷେ ଦଳ ୨୦୧୪ ପରଠାରୁ ୪୫ ଟି ନିର୍ବାଚନ ମଧ୍ୟରୁ କେବଳ ପାଞ୍ଚଟିରେ ଜିତିବାରେ ସକ୍ଷମ ହୋଇଛି। ଏହି ଫଳାଫଳ କଂଗ୍ରେସର ବିଶ୍ୱସନୀୟତା ଏବଂ ନେତୃତ୍ୱ ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛି | ଏହି ପ୍ରଶ୍ନଗୁଡିକ ବାହାରୁ ନୁହେଁ ବରଂ ପାର୍ଟି ଭିତରୁ ଉଠୁଛି | ଜନର ଅନେକ ବରିଷ୍ଠ ନେତା ଆଭ୍ୟନ୍ତରୀଣ କଳହ ଏବଂ ନେତୃତ୍ୱର ଅଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଥିଲେ ଯେ ଦଳର ଆଗାମୀ ଯୋଜନା ଉପରେ ଆଲୋଚନା କରିବା ପାଇଁ ଖୁବ୍ ଶୀଘ୍ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଡକାଯିବ । କିନ୍ତୁ ଅନେକ ନେତା ଏହି ବୈଠକ ଡକାଯିବ କି ନୁହେଁ ନିଶ୍ଚିତ ନୁହଁନ୍ତି | ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଜୟକୁ ଦେଖି କିଛି ଯୁବ ନେତା କହିଛନ୍ତି ଯେ ପୁରୁଣା ଏବଂ ଥକି ଯାଇଥିବା ନେତାମାନେ ନୂଆ ତଥା ଯୁବ ନେତାଙ୍କୁ ରାସ୍ତା ଛାଡ଼ିଦେବା ଉଚିତ। କଂଗ୍ରେସର ପରାଜୟ ସମ୍ପର୍କରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ମୁଁ ସ୍ତବ୍ଧ। ଦଳର ପରାଜୟ ଦେଖି ମୋର ଆତ୍ମା କାନ୍ଦୁଛି । ଆମେ ଆମର ପୁରା ଜୀବନ ଏବଂ ଯୌବନ ପାର୍ଟି ପାଇଁ ଉତ୍ସର୍ଗ କରିଦେଇଥିଲୁ | ମୁଁ ନିଶ୍ଚିତ ଯେ ଦଳର ନେତୃତ୍ୱ ସମସ୍ତ ଦୁର୍ବଳତା ଏବଂ ଅଭାବ ପ୍ରତି ଧ୍ୟାନ ଦେବେ ଯାହାକୁ ମୁଁ ଏବଂ ମୋର ସହକର୍ମୀମାନେ କିଛିଦିନ ଧରି ଉଠାଇ ଆସିଛୁ ।
ଅନ୍ୟପଟେ ବରିଷ୍ଠ ନେତା ଶଶି ଥରୁର ମଧ୍ୟ ଦଳୀୟ ନେତୃତ୍ୱରେ ସୁଧାର ଆଣିବାକୁ ଦାବି କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଯାହାର କଂଗ୍ରେସ ଉପରେ ଭରସା ଅଛି, ସେ ନିର୍ବାଚନ ଫଳାଫଳକୁ ନେଇ ଦୁଃଖିତ | ଭାରତର ସେହି ବିଚାରଧାରାକୁ ସୁଦୃଢ଼ କରିବାର ସମୟ ଆସିଛି ଯେଉଁଥି ପାଇଁ କଂଗ୍ରେସ ଛିଡା ହୋଇଛି ଏବଂ ଦେଶକୁ ଏକ ସକାରାତ୍ମକ ଏଜେଣ୍ଡା ଦେଊଛି। ଆମର ସାଂଗଠନିକ ନେତୃତ୍ୱକୁ ଏପରି ଉପାୟରେ ସୁଧାରିବାର ସମୟ ଆସିଛି ଯାହା ଦ୍ବାରା ସେହି ବିଚାରଧାରାକୁ ପୁନର୍ଜୀବିତ କରି ଲୋକଙ୍କୁ ଅନୁପ୍ରାଣିତ କରିବ | ଗୋଟିଏ କଥା ସ୍ପଷ୍ଟ – ସଫଳ ହେବା ପାଇଁ ପରିବର୍ତ୍ତନ ଆବଶ୍ୟକ ବୋଲି ଥରୁର୍ ଟ୍ବିଟ୍ କରିଛନ୍ତି । ସେପଟେ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳର ବିଦ୍ରୋହୀ ନେତାଙ୍କ ଗୋଷ୍ଠୀ ଜି-୨୩ ତରଫରୁ ଏକ ବୈଠକ ଡକାଯାଇଛି ।
