ପରାଜୟ ପରେ ଆତ୍ମଦାହ ଉଦ୍ୟମ କଲେ ସମାଜବାଦୀ ପାର୍ଟି ନେତା
ଲକ୍ଷ୍ନୌ: ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଲାଗି ଏକ ଝଟକା ସାବ୍ୟସ୍ତ ହୋଇଛି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏଥର ରାଜ୍ୟରେ ସମାଜବାଦୀ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖୁଥିବା ଦଳୀୟ କର୍ମକର୍ତ୍ତାଙ୍କୁ ଏଥର ହେବାକୁ ପଡ଼ିଛି ହତାଶ। ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ନେଇ ନିରାଶ ହୋଇପଡ଼ିଥିବା ସମାଜବାଦୀ ପାର୍ଟି କର୍ମକର୍ତ୍ତା ଆତ୍ମଦାହ ଉଦ୍ୟମ କରିବାକୁ ପଛେଇନାହାଁନ୍ତି।
ନିର୍ବାଚନ ଫଳାଫଳ ଆସିବା ପରେ ଗତ ଗୁରୁବାର ରାଜଧାନୀ ଲକ୍ଷ୍ନୌସ୍ଥିତ ବିଧାନସଭା ସାମ୍ନାରେ ଜଣେ ସମାଜବାଦୀ ପାର୍ଟି ନେତା ଆତ୍ମଦାହ କରିବାକୁ ଉଦ୍ୟମ କରିଛନ୍ତି। ରାଜ୍ୟର କାନପୁର ଜିଲ୍ଲା ବାସିନ୍ଦା ନରେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ବିଧାନ ଭବନ ସମ୍ମୁଖରେ ନିଜ ଉପରେ ଜ୍ୱଳନ୍ତ ସାମଗ୍ରୀ ପକାଇ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଜଳୁଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ସଙ୍ଗେ ସଙ୍ଗେ ତାଙ୍କ ଆଡକୁ ଦୌଡ଼ିଯାଇ ପାଣି ଢାଳି ନିଆଁ ଲିଭାଇଥିଲେ।
ଏହି ଘଟଣାରେ ପ୍ରତିକ୍ରିୟା ରଖି ହଜରତଗଞ୍ଜ ଥାନା ପ୍ରଭାରୀ ଶ୍ୟାମ ବାବୁ ଶୁକ୍ଲା କହିଛନ୍ତି ନରେନ୍ଦ୍ର ସିଂଙ୍କୁ ଡାକ୍ତରଖାନା ନିଆଯାଇଛି। ତାଙ୍କ ବେକ, ମୁହଁ ଏବଂ ବାହୁରେ ପୋଡି ଯାଇଥିବାର ଜଣାପଡି଼ଛି। ବର୍ତ୍ତମାନ ସେ ବିପଦ ମୁକ୍ତଛନ୍ତି। ତାଙ୍କ ପାଖରୁ ସମାଜବାଦୀ ପାର୍ଟି ସଦସ୍ୟତା ପରିଚୟ ପତ୍ର ମିଳିଛି। ଘଟଣା ସମୟରେ ସେ ନାରାବାଜି କରିଥିଲେ। ସେ କାହିଁକି ଏପରି କାମ କରିଛନ୍ତି ତାହାର ଅନୁସନ୍ଧାନ କରାଯାଉଛି। ଚଳିତ ୨୦୨୨ ବିଧାନସଭା ନିର୍ବାଚନରେ ବାଜିମାତ କରି ରାଜ୍ୟରେ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖୁଥିବା ସମାଜବାଦୀ ପାର୍ଟି ଏଥର ସଫଳ ହୋଇନାହିଁ। ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ମେଣ୍ଟକୁ ଏଥର ୧୨୫ ଆସନ ମିଳିଛି। ମୋଟ ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୨୦୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
