ବାଲେଶ୍ୱର : ନାଏବ ସରପଞ୍ଚ ନିର୍ବାଚନରେ ପାତର ଅନ୍ତର, ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ
ବାଲେଶ୍ୱର : ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପଦବୀ ନିମନ୍ତେ ଶୁକ୍ରବାର ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ମଧ୍ୟ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହୋଇଥିଲା । ମାତ୍ର ଏଠାରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଜଣକ ପାତର ଅନ୍ତର ନୀତି ଆପଣାଇଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଚଷାଖଣ୍ଡ ପଞ୍ଚାୟତ କାର୍ଯ୍ୟାଳୟରେ ସରକାରୀ ଅଧିକାରୀଙ୍କୁ ତାଲା ପକାଇ ଘେରି ରଖିଥିଲେ ଲୋକେ । ଖବର ପାଇ ପୋଲିସ ପହଞ୍ôଚ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ସୂଚନା ଯେ, ୧୫ ୱାର୍ଡ଼ ବିଶିଷ୍ଟ ଚଷାଖଣ୍ଡ ପଞ୍ଚାୟତର ନିର୍ବାଚିତ ୱାର୍ଡ଼ମେମ୍ବରଙ୍କ ମଧ୍ୟରୁ ୧୪ଜଣ ଉପସ୍ଥିତ ରହିଥିଲେ । ସେଥିମଧ୍ୟରୁ ୱାର୍ଡ଼ମେମ୍ବର ସସ୍ମିତା ନାୟକଙ୍କୁ ୮ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦେବସ୍ମିତା ଗୋଚ୍ଛାୟତଙ୍କୁ ୬ଖଣ୍ଡ ଓ ସରପଞ୍ଚଙ୍କ ଖଣ୍ଡିଏ ଭୋଟ୍ ସହ ୭ଟି ଭୋଟ୍ ମିଳିଥିଲା । ଫଳରେ ଅପରପକ୍ଷ ଗୋଷ୍ଠୀ ସସ୍ମିତାଙ୍କ ଦୁଇଟି ଭୋଟ୍କୁ ନାକଚ କରିବା ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ରେମୁଣା ବ୍ଲକର ୱେଲଫେୟାର ଅଫିସର ନିରଞ୍ଜନ ବେହେରାଙ୍କୁ ଚାପ ପକାଇଥିଲେ । ଏଥିପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଦୀର୍ଘ ୪ଘଣ୍ଟା ଧରି ନିର୍ବାଚନ ଅଧିକାରୀଙ୍କୁ ଲୋକମାନେ ଅଟକାଇ ରଖାଯାଇଥିଲା । ରେମୁଣା ଥାନା ଓ ହଳଦୀପଦା ଫାଣ୍ଡି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ôଚ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା କରିଥିଲେ । ଲୋକଙ୍କୁ ବୁଝାସୁଝା ପରେ ଲୋକମାନେ ଅଟକ ନିର୍ବାଚନ ଅଧିକାରୀଙ୍କୁ ଛାଡ଼ିବା ସହ ଧାରଣାରୁ ଓହରିଥିଲେ । ପରେ ଉଭୟ ପକ୍ଷଙ୍କ ନିରପେକ୍ଷ ତଦନ୍ତ ସହ ସାନି ଭୋଟ୍ ଗଣତି ହୋଇଥିଲା । ସେଥିରେ ସସ୍ମିତା ବିଜୟ ଲାଭ କରିଥିବାର ନିର୍ବାଚନ ଅଧିକାରୀ ଶ୍ରୀ ବେହେରା ଘୋଷଣା କରିଥିଲେ ।
