ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ : କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ
କୋରାପୁଟ : କୋରାପୁଟ ନନ୍ଦପୁର ନିକଟ ଭେଜା ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ରହିଛି । ଏହାଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । କିରଣ୍ଡୁଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଭେଜା ନିକଟରେ ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ରିଲିଫ୍ ଟ୍ରେନ୍ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛି । ବିଶାଖାପାଟଣା କୋରାପୁଟ- କିରଣ୍ଡୁଲ ଓ କିରଣ୍ଡୁଲ-କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନ ଚଳାଚଳ ବାତିଲ କରାଯାଇଛି।
ସୂଚନା ଯେ, ଗୁରୁବାର ରାତି ପ୍ରାୟ ୨ଟା ବେଳେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ପାଡ଼ୁଆ ଷ୍ଟେସନ ମାଷ୍ଟର ଓ ତାଙ୍କର ଅନ୍ୟ କେତେକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ଏଯାଏଁ କାମ ଜାରି ରହିଛି। ଏହାଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ଖାଲି ସେତିକି ନୁହେଁ, ଏହି ବାଟ ଦେଇ ଯାତାୟତ କରୁଥିବା ବିଶାଖାପାଟଣା-କିରଣଡୁଲ ଏକ୍ସପ୍ରେସ୍ ଟ୍ରେନକୁ ବାତିଲ କରିଦିଆଯାଇଛି।
