ମୁଁ କିଭରେ ଅଛି, ଯୁଦ୍ଧ ନ ଜିତିବା ଯାଏଁ ରହିବି : ଜେଲେନସ୍କି
ପୁଣି ଭିଡ଼ିଓ ଜାରି କରି ରୁଷର ଦାବିକୁ କଲେ ଖଣ୍ଡନ
ନୂଆଦିଲ୍ଲୀ : ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୧୩ତମ ଦିନ । ଦୁଇଥର ବୈଠକ ପରେ ପୁଣି ଦୁଇ ଦେଶ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ବିଫଳ ହୋଇଛି । ତେବେ ଏହି ବୈଠକରେ ସହରରେ ଫସି ରହିଥିବା ନାଗରିକଙ୍କ ପାଇଁ ମାନବିକ କରିଡର ସୃଷ୍ଟି ଉପରେ କିଛି ସକରାତ୍ମକ ଆଲୋଚନା ହୋଇଛି। ଆଜି ପୁଣିଥରେ ମାନବ କରିଡର ଖୋଲାଯିବ । ଅନ୍ୟପକ୍ଷରେ ଋଷର ଆକ୍ରମଣ ପରଠାରୁ ୧୭ ଲକ୍ଷରୁ ଅଧିକ ୟୁକ୍ରେନ ଦେଶ ଛାଡି କେନ୍ଦ୍ରୀୟ ୟୁରୋପରେ ପହଞ୍ଚିଛନ୍ତି । ଅନ୍ୟପଟେ ଜେଲେନସ୍କିଙ୍କୁ ନେଇ ସବୁବେଳେ ଉଠୁଛି ଗୁଜବ । ଜେଲେନସ୍କି କେଉଁଠି ଅଛନ୍ତି ତାକୁ ନେଇ ନିକଟରେ ଏହି ପ୍ରଶ୍ନ ପୁଣି ଉଠିଥିଲା । ଏସବୁ ମଧ୍ୟରେ ରୁଷ ଦାବି କରିଛି ଯେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କିଭ୍ ଛାଡି ବଙ୍କରରେ ଲୁଚି ରହିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଦାବିକୁ ଖଣ୍ଡନ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ ସେ କୌଣସି ବଙ୍କରରେ ଲୁଚି ନାହାଁନ୍ତି ଏବଂ ଯେପର୍ଯ୍ୟନ୍ତ ଏହି ଦେଶଭକ୍ତି ଭରା ଯୁଦ୍ଧରେ ବିଜୟ ହାସଲ ନ କରିଛି ସେପର୍ଯ୍ୟନ୍ତ ସେ କିଭରେ ରହିବେ ।
ଏନେଇ ଜେଲେନସ୍କି ପୁଣି ଏକ ଭିଡିଓ ଜାରି କରିଛନ୍ତି । ସେ ଭିଡିଓରେ ସ୍ପଷ୍ଟ କରିଛନ୍ତି ସେ କିଭ୍ ଅଛନ୍ତି । ସେହି ଭିଡିଓରେ ସେ ଆହୁରି କହିଛନ୍ତି ମୁଁ କାହାକୁ ଭୟ କରେ ନାହିଁ । ଯେଉଥିପାଇଁ ମୁଁ ଭୟରେ ମୋ ଦେଶ ଛାଡି ପଳେଇବି । ମୋ ଦେଶବାସୀ ଏପର୍ୟ୍ୟନ୍ତ ହାର ମାନି ନାହାନ୍ତି । ଋଷର ଆକ୍ରମଣରେ ସେ କଡ୍ଡା ଜବାବ ଦେଉଛନ୍ତି । ୧୩ ଦିନ ଭିତରେ ୟୁକ୍ରେନ ବହୁତ କ୍ଷତି ସହିଲାଣି । ହେଲେ ଏବେତକ ଋଷ ୟୁକ୍ରେନର ରାଜଧାନୀ କିଭ୍କୁ ସହ ଆଉ କେତେକ ସହରକୁ କବଜା କରିବାରେ ଅସଫଳ ହୋଇଛି ।
ତେବେ ପୂର୍ବରୁ ମଧ୍ୟରୁ ଜେଲେନସ୍କି ଏକ ଭିଡିଓ ଜାରି କରି ନିଜ ଦେଶବାସୀଙ୍କ ପାଇଁ ବାର୍ତ୍ତା ସେୟାର କରିଥିଲେ । ସେ କହିଥିଲେ ଆମେ ହାର ମାନିବା ନାହିଁ । ଆଉ ସେଥିପାଇଁ ତ ଋଷ ସଫଳ ହୋଇପାରୁନି । ସେପଟେ ବାରମ୍ବାର ବୈଠକ ପରେ ବି କିଛି ସ୍ଥିର ହୋଇପାରୁନି । ୟୁକ୍ରେନରେ ଜାରି ରହିଛି ଯୁଦ୍ଧ । ଏବେ ବି ସେହି ରାସ୍ତାରେ ଶୁଭୁଛି ବିପଦ ସଂକେତର ଗାଡି । ଚାଲିଛି ଗୁଳି ବର୍ଷଣ, ତା ସହ ହେଉଛି ବିସ୍ଫୋରଣ ।
