କରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍! ଦେଶରେ ଆଉ ୩,୯୯୩ ସଂକ୍ରମିତ ଓ ୧୦୮ ମୃତ
ନୂଆଦିଲ୍ଲୀ : କରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍ । ଦେଶରେ କରୋନା ଭୂତାଣୁର ତୃତୀୟ ଲହରର ଶେଷ ହୋଇସାରିଛି । କରୋନା ମାମଲାରେ ଲଗାତର ହ୍ରାସ ଘଟିବା ସହ ମୃତ୍ୟୁ ମାମଲାରେ ମଧ୍ୟ କମି ରେକର୍ଡ କରାଯାଉଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୯୩ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୮ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮,୦୫୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୪,୧୭୦ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୯ ଲକ୍ଷ ୭୧ ହଜାର ୩୦୮ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୬ ହଜାର ୧୫୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪୯ ହଜାର ୯୪୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୫ ହଜାର ୨୧୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ମାର୍ଚ୍ଚ ୮ ପର୍ଯ୍ୟନ୍ତ ସାରା ଦେଶରେ ୧୭୯ କୋଟି ୧୩ ଲକ୍ଷ ୪୧ ହଜାର ୨୯୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ଲକ୍ଷ ୩୪ ହଜାର ୪୬୩ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୭ କୋଟି ୪୩ ଲକ୍ଷ ୧୦ ହଜାର ୫୬୭ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୭୩ ହଜାର ୩୯୫ କୋରୋନା ନମୁନା ପରୀକ୍ଷା କରାଯାଇଛି ।
