ବାହରିନ୍ ଓ ବେଲାରୁଷ୍ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରୁ ବାଦ୍ ପଡିଲେ ଛେତ୍ରୀ
ନୂଆଦିଲ୍ଲୀ : ଆସନ୍ତା ୨୩ ଓ ୨୬ ତାରିଖରେ ଭାରତୀୟ ଫୁଟବଲ୍ ଟିମ୍ ଯଥାକ୍ରମେ ବାହରିନ୍ ଓ ବେଲାରୁଷ୍ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ଏଥିସକାଶେ ଆସନ୍ତା ବୁଧବାରଠାରୁ ପୁଣେଠାରେ ପ୍ରସ୍ତୁତି ଶିବିର ଆରମ୍ଭ ହେଉଛି। ତେବେ ଏହି ଦୁଇଟି ମ୍ୟାଚ୍ରେ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ଏଆଇଏଫ୍ଏଫ୍ ୱେବ୍ସାଇଟ୍ରେ ସ୍ଥାନ ପାଇଥିବା ଏକ ସୂଚନାନୁସାରେ, ନିକଟ ଅତୀତରେ ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଛେତ୍ରୀ ଥକିପଡ଼ିଛନ୍ତି।
ତା’ଛଡ଼ା ସେ ସାମାନ୍ୟ ଆହତ ମଧ୍ୟ ଅଛନ୍ତି। ଏହି ଆଘାତରୁ ମୁକ୍ତି ପାଇବା ସକାଶେ ତାଙ୍କୁ କିଛି ଦିନ ସମୟ ଲାଗିବ। ବାହରିନ୍ ଓ ବେଲାରୁଷ୍ ବିପକ୍ଷ ମ୍ୟାଚ୍ ଖେଳି ନ ପାରୁ ନ ଥିବାରୁ ସେ ବେଶ୍ ଦୁଃଖୀତ ବୋଲି ଛେତ୍ରୀ କହିବା ସହ ଆସନ୍ତା ମେ’ରେ ହେବାକୁ ଥିବା ପ୍ରସ୍ତୁତି ଶିବିରରେ ଫିଟ୍ନେସ୍ ପାଇଁ ଭରପୂର ଉଦ୍ୟମ କରିବେ ବୋଲି କହିଛନ୍ତି। ବୁଧବାରଠାରୁ ଆରମ୍ଭ ହେଉଥିବା ପ୍ରସ୍ତୁତି ଶିବିର ସକାଶେ ଗତ ସୋମବାର ଏକ ୩୮ଜଣିଆ ସମ୍ଭାବ୍ୟ ଦଳ ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ ଘୋଷଣା କରିଥିଲେ। ଉକ୍ତ ଦଳରେ ଛେତ୍ରୀଙ୍କ ନାମ ଥିଲେ ମଧ୍ୟ ସୋମବାର ଏଥିରୁ ତାଙ୍କ ନାମକୁ ହଟାଇ ଦିଆଯାଇଛି।
ଘୋଷିତ ଦଳରେ ଗୋଲକିପର୍ ପ୍ରଭସୁଖନ୍ ଗିଲ୍ ଓ ମହମ୍ମଦ ନୱାଜ୍, ଡିଫେଣ୍ଡର୍ ଦୀପକ ଟାଙ୍ଗ୍ରି ଓ ରୋଶନପ୍ ସିଂହ, ମିଡଫିଲ୍ଡର୍ ବିକ୍ରମ ପ୍ରତାପ ସିଂହ, ଭିପି ସୁହେର୍, ଅନିକେତ ଯାଦବ ଓ ଜେରୀ ଏମ.ଙ୍କ ପରି ଖେଳାଳି ପ୍ରଥମ ଥର ପାଇଁ ଜାତୀୟ ଶିବିର ସକାଶେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ବେଲାରୁଷ୍ ରୁଷିଆକୁ ୟୁକ୍ରେନ୍ ଉପରେ କରିଥିବା ଆକ୍ରମଣ ଘଟଣାରେ ସମର୍ଥନ ଦେଇଥିବାରୁ ଭାରତ ଏହି ପୂର୍ବ ୟୁରୋପୀୟ ଦେଶ ବିପକ୍ଷରେ ଖେଳିବ କି ନାହିଁ, ସେଥିନେଇ ଏବେ ବି ଏଆଇଏଫ୍ଏଫ୍ ସନ୍ଦିହାନ ଅଛି। ଅବଶ୍ୟ ଫିଫା ରୁଷିଆ ଉପରେ ଅନ୍ତର୍ଜାତୀୟ କଟକଣା ଲଗାଇଥିଲେ ମଧ୍ୟ ବେଲାରୁଷ୍ ବିପକ୍ଷରେ କୌଣସି ପଦକ୍ଷେପ ନେଇନାହିଁ। କିନ୍ତୁ ଗତ ଗୁରୁବାର ୟୁରୋପିଆନ୍ ଫୁଟବଲ୍ ଗଭର୍ଣ୍ଣିଂ ବଡି ୟୁଇଏଫ୍ଏ ବେଲାରୁଷ୍ରେ କୌଣସି ପ୍ରକାର ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଉପରେ କଟକଣା ଲଗାଇଛି। କିନ୍ତୁ ଏହାର ପ୍ରଭାବ ଭାରତ ଓ ବେଲାରୁଷ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ପଡ଼ିବ ନାହିଁ ବୋଲି ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି।
ବୁଧବାର ଠାରୁ ହେବାକୁ ଥିବା ପ୍ରସ୍ତୁତି ଶିବିରରେ ଆଇଏସ୍ଏଲ୍ରେ ସାମିଲ୍ ଥିବା ଖେଳାଳିମାନେ ଯୋଗଦେବେ ନାହିଁ। ନିଜ ନିଜ କ୍ଲବ୍ ସହ ମିଆଦ ପୂରଣ ପରେ ଖେଳାଳିମାନେ ଶିବିର ଯୋଗଦେବେ। ଏହାପରେ ସମ୍ଭାବ୍ୟ ଖେଳାଳି ତାଲିକାରୁ ଚୂଡ଼ାନ୍ତ ତାଲିକା ଘୋଷଣା କରାଯିବ ଓ ମାର୍ଚ୍ଚ ୨୧ରେ ଭାରତୀୟ ଦଳ ବାହରିନ୍ ଅଭିମୁଖେ ଯାତ୍ରା କରିବ।
