ଈଶାଣୀ ବୈଶାଖୀ ମହୋତ୍ସବ ୭ମ ସଂସ୍କରଣ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ ଈଶାଣୀ ଉଡ଼ାଯାତ୍ରା ପଡ଼ିଆ ବାସନ୍ତୀ ମଣ୍ଡପ ପ୍ରାଙ୍ଗଣରେ ୩୬ତମ ଉଡ଼ାଯାତ୍ରା, ୨୪ତମ ବାସନ୍ତୀ ପୂଜା ଓ ବୈଶାଖୀ ମହୋତ୍ସବର ୭ମ ସଂସ୍କରଣ ନିମନ୍ତେ ପ୍ରସ୍ତୁତି ବୈଠକ କମିଟିର ସଭାପତି ଆଡ୍ଭୋକେଟ୍ ଅଶୋକ କୁମାର ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଭାଗବତ ସାହୁଙ୍କ ପ୍ରାରମ୍ଭିକ ସୂଚନା ପରେ କମିଟିର ପୂର୍ବତନ ସଭାପତି ଦିବଙ୍ଗତ କୈଳାସ ଦାସଙ୍କ ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଆସନ୍ତା ଅପ୍ରେଲ୍ ୭ରୁ ୧୧ ପର୍ଯ୍ୟନ୍ତ ୨୪ତମ ବାସନ୍ତୀ ପୂଜାଉତ୍ସବ, ଅପ୍ରେଲ୍ ୧୦ରୁ ୧୪ ପର୍ଯ୍ୟନ୍ତ ୩୬ତମ ଉଡ଼ାଯାତ୍ରା ଉତ୍ସବ ଏବଂ ଅପ୍ରେଲ୍ ୧୦ ରାମନବମୀରୁ ୧୪ ତାରିଖ ପର୍ଯ୍ୟନ୍ତ ୫ଦିନିଆ ୭ମ ବୈଶାଖୀ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ ହେବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିଲା । କମିଟିର ଉପସଭାପତି ନରେନ୍ଦ୍ର ଦାସ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ତାଙ୍କ ହାତପାଣ୍ଠିରୁ ୧ଲକ୍ଷ ୩୦ ହଜାର ଟଙ୍କା ପଡ଼ିଆର ପ୍ରବେଶପଥ ଉନ୍ନତିକରଣ ପାଇଁ ପ୍ରଦାନ କରିଥିବାର ସୂଚନା ଦେଇଥିଲେ । କମିଟିର ସଭାପତି, କାର୍ଯ୍ୟକାରୀ ସଭାପତି, ଉପସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, କୋଷାଧ୍ୟକ୍ଷ, ସହଯୋଗୀ କୋଷାଧ୍ୟକ୍ଷ, ମିଡ଼ିଆ ସେଲ୍ ସଂଯୋଜକ, ପରିଚାଳନା କମିଟିର କାର୍ଯ୍ୟକାରୀ ସଦସ୍ୟବୃନ୍ଦ ବିଧାୟକ ଶ୍ରୀ ପରିଡ଼ାଙ୍କୁ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବକାଶରେ କବି ଶ୍ରୀଦେବ, ନିର୍ବାଚିତ ୱାର୍ଡ଼ସଦସ୍ୟ ମନ୍ମଥ ମାଝୀ ଓ ସସ୍ମିତା ଦାସ, ଭାଗବତ ସାହୁ, ଲକ୍ଷ୍ମୀଧର ସ୍ୱାଇଁ, ନରେନ୍ଦ୍ର ଦାସ, ମହେନ୍ଦ୍ର ମହାଳିକ, ରାମଚନ୍ଦ୍ର ଦାସ, ପଞ୍ଚାନନ ଦାସ, ଅଞ୍ଜନ କୁମାର ଦାସ, ଦୀନବନ୍ଧୁ ଦାସ, ଦୀନବନ୍ଧୁ ବେହେରା, ଡମ୍ବରୁଧର ଦାସ, ସନାତନ ବେହେରା, ମନୋଜ ଦାସ, ଜନାର୍ଦ୍ଦନ ବିନ୍ଧାଣୀ, ମନୋରଞ୍ଜନ ସେଠୀ, ଅନନ୍ତ ଗୋପାଳ ନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ, ବିଜୟ ଦାସ, ଶ୍ରୀକାନ୍ତ ଦାସ ଓ ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ରହି ଏ ବର୍ଷର ପୁନଃ ନିର୍ବାଚିତ, ମନୋନୀତ ସଦସ୍ୟମାନଙ୍କର ଆନୁଷ୍ଠାନିକ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ ।
