ବାଲେଶ୍ୱର : ଚୋରା ବନ୍ଧୁକ ବେପାରୀ ଗିରଫ, ବନ୍ଧୁକ ସହ ୪ ଗୁଳି ଜବତ
ସୋର : ବିହାରରୁ ଓଡିଶା ଲମ୍ବିଛି ଚୋରା ବନ୍ଧୁକ କାରବାରର ଚେର । ଜଣେ ଚୋରା ବନ୍ଧୁକ ବେପାରୀ ଅଟକ ବନ୍ଧୁକ ସହିତ ୪ଟି ଅଫୁଟା ଗୁଳି ଜବତ । ସୋର ଥାନା ବିଦୁ ଛକ ନିକଟରେ ଜଣେ ବିହାରୀ ଯୁବକ ଚୋରାରେ ବନ୍ଧୁକ ବିକିବାକୁ ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ସୋର ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ସୁଜାତା ଖମାରୀଙ୍କ ନିର୍ଦେଶ କ୍ରମେ ଏଏସ୍ଆଇ ପ୍ରତାପ କାଲୋ ଏକ ପୋଲିସ ଦଳ ସହ ସେଠାରେ ପହଞ୍ଚି ଚଢାଉ କରି ଯୁବକ ଜଣକୁ କାବୁ କରିବା ସହିତ ତା’ ନିକଟରୁ ଗୋଟିଏ ୭ ରାଉଣ୍ଡବାଲା ବନ୍ଧୁକ ଓ ୪ ଟି ଅଫୁଟା ଗୁଳି ଜବତ କରିଛି ।
ଯୁବକ ଜଣକ ବିହାର ବୈଶାଲି ଜିଲାର ଦିଶ୍ରିଥାନା ମଜିରହୁଇ ଗ୍ରାମର ଲୋକେଶ ସିଂ । ସେ ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ସୋର, ଭଦ୍ରକ, ବାଲେଶ୍ୱର ଆଦି ଅଞ୍ଚଳରେ ବିକ୍ରି କରେ । ଯୁବକ ଜଣକ ନାମରେ ଭଦ୍ରକର ବିଭିନ୍ନ ଥାନାରେ ଚୋରି, ଛିନ୍ତାଇ ଓ ଡକାୟତି ଭଳି ବିଭିନ୍ନ ଅପରାଧିକ ମାମଲା ଥିବା ପୁଲିସ୍ ସୂତ୍ରରୁ ସୂଚନା ମିଳିଛି । ଯୁବକ ଜଣକୁ ଗିରଫ ପରେ ମାମଲା (ନଂ. ୧୦୩/୨୨)ରୁଜୁ ସହ ୨୫ ଆର୍ମସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଯେ ଲୋକେଶ ବିଭିନ୍ନ ସମୟରେ ବିଭିନ୍ନ କିଶମର ଚୋରା ବନ୍ଧୁକ ଆଣି ୧୫ ହଜାରରୁ ୬୦/୭୦ ହଜାର ପର୍ଯ୍ୟନ୍ତ ବିକ୍ରି କରୁଥିବା ସୂଚନା ମିଳିଛି ।
