ଓଡ଼ିଶାର ଶ୍ରୁତି ମହାପାତ୍ର ପାଇବେ ନାରୀଶକ୍ତି ପୁରସ୍କାର
ନୂଆଦିଲ୍ଲୀ : ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ୨୦୨୦ ଓ ୨୦୨୧ ବର୍ଷ ପାଇଁ ୨୯ଜଣ ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୯ଜଣ ମହିଳାଙ୍କ ମଧ୍ୟରୁ ଓଡ଼ିଶାର ଶୃତି ମହାପାତ୍ର ପୁରସ୍କାର ପାଇବେ । ଭିନ୍ନକ୍ଷମଙ୍କ ଅଧିକାର ଓ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୃତିଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର ।
ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା । ୨୦୨୦ ଓ ୨୦୨୧ ବର୍ଷ ପାଇଁ ୨୯ଜଣ ଉଲ୍ଲେଖନୀୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନଜନକ ପୁରସ୍କାର ନାରୀଶକ୍ତି ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ବିଶେଷ ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ୨୯ଜଣ ସଫଳ ମହିଳାଙ୍କୁ ନାରୀଶକ୍ତି ପୁରସ୍କାର ଦେଇ ସମ୍ମାନିତ କରିବେ ରାଷ୍ଟ୍ରପତି । କରୋନା ସଂକ୍ରମଣ ପାଇଁ ୨୦୨୦ ମସିହାରେ ଏହି ପୁରସ୍କାର ବିତରଣ କରାଯାଇପାରି ନଥିବା ବେଳେ ଚଳିତ ବର୍ଷ ଏହା ପ୍ରଦାନ କରାଯାଉଛି। ଏହି ଅବସରରେ ଓଡିଶା ପାଇଁ ଆସିଛି ଖୁସି ଖବର । ସାମାଜିକ କର୍ମୀ ଶ୍ରୁତି ମହାପାତ୍ରଙ୍କୁ ଭିନ୍ନକ୍ଷମମାନଙ୍କର ଅଧିକାର ସୁରକ୍ଷା କ୍ଷେତ୍ରରେ ଅବଦାନ ଲାଗି ନାରୀଶକ୍ତି ପୁରସ୍କାର-୨୦୨୧ ପ୍ରଦାନ କରାଯିବାକୁ ଚୟନ କରାଯାଇଛି । ପୁରସ୍କାର ପାଇବାକୁ ଯାଉଥିବା ଏହି ୨୯ ଜଣଙ୍କ ମଧ୍ୟରେ କେବଳ ଜଣେ ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ଶ୍ରୁତି ମହାପାତ୍ର। ସୂଚନା ଅନୁସାରେ ନାରୀଶକ୍ତି ପୁରସ୍କାର ପାଉଥିବା ସମସ୍ତ ମହିଳାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତାଳାପ କରିବେ।
