ଓଡ଼ିଶା ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ୍ ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ସୋମବାର ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଂଚିଛନ୍ତି । ଓଡିଶା ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୂର୍ତରେ ବିମାନବନ୍ଦରରେ ସେମାନଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ୱରରେ ପହଂଚିଥିଲା । ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନଙ୍କ ଅବିଭାବକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ସୂଚନାଯୋଗ୍ୟ ଯେ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବାପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ । ଦୁଇଟି ବସ୍ ଯୋଗେ ସେମାନଙ୍କୁ ଯୁଦ୍ଧ ଅଂଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା । ଏତଦ୍ ବ୍ୟତୀତ ସେମାନଙ୍କ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରିବାପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ ।
Welcome our students back to #Odisha. It is a huge sigh of relief that our children have returned safely from war zone after spending harrowing time in the #RussiaUkraineWar. We will continue our efforts to help rest of our students return home safely. pic.twitter.com/UyXqK7QI5d
— Naveen Patnaik (@Naveen_Odisha) March 7, 2022
ୟୁକ୍ରେନ୍ରେ ଯୁଦ୍ଧ ଯୋଗୁଁ ଅଧାରୁ ପାଠପଢ଼ା ଛାଡ଼ି ସ୍ୱଦେଶ ଫେରିବାକୁ ବାଧ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁରନ୍ତ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍ ଏବଂ ମନ୍ତ୍ରାଳୟ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ପାଠପଢ଼ା କିପରି ଭାରତରେ ହୋଇ ପାରିବ ସେନେଇ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ନବୀନ । ସେହିଭଳି ଏ ବାବଦରେ କେନ୍ଦ୍ର ସରକାର ଯାହା ନିଷ୍ପତି ନେବେ ସେଥିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ଭବିଷ୍ୟତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭିଳି ପଦକ୍ଷେପକୁ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
କେବଳ ଏତିକି ନୁହେଁ, ୟୁକ୍ରେନ୍ରୁ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ଲାଗି ମଧ୍ୟ ଜୋର୍ଦାର୍ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ନିକଟରେ ଖାର୍କିଭ୍ ଓ ପିସୋଚିନ୍ରେ ୩ ଦିନ ଧରି ଅଟକି ରହିବା ସହ ଭୀଷଣ ସମସ୍ୟାର ସମ୍ମୁଖୀନ ହୋଇଥିବା ୬୫ ଛାତ୍ରଛାତ୍ରୀଙ୍କୁ ଦୁଇ ସ୍ୱତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଥିଲେ ରାଜ୍ୟ ସରକାର । ୟୁକ୍ରେନରୁ ଓଡ଼ିଆ ପିଲାମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମନ୍ୱୟ ରଖିବା ପାଇଁ ଦାୟିତ୍ୱ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ରେସଡେଂଟ କମିଶନ ଅଫିସ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି ।
