ପାଲେଷ୍ଟାଇନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ
ନୂଆଦିଲ୍ଲୀ : ପାଲେଷ୍ଟାଇନରେ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ଦେହାନ୍ତ ହୋଇଛି। ଦୂତାବାସ ଭିତରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁକୁଲ ଆର୍ଯ୍ୟ, ପାଲେଷ୍ଟାଇନର ରାମଲାହସ୍ଥିତ ଭାରତୀୟ ଦୂତାବାସରେ ନିଯୁକ୍ତ ଥିଲେ। ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମବେଦନା ଜଣାଇଛନ୍ତି।
ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ଦେହାନ୍ତକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ଟ୍ୱିଟରେ କହିଛନ୍ତି ଯେ, ରାମଲାହରେ ଭାରତର ପ୍ରତିନିଧୀ ମୁକୁଲ ଆର୍ଯ୍ୟଙ୍କ ଦେହାନ୍ତ ଖବର ଶୁଣିବା ଅତ୍ୟନ୍ତ ଦୁଃଖଦାୟକ। ବୈଦେଶିକ ବ୍ୟାପାର ମନ୍ତ୍ରୀ, ମୁକୁଲ ଆର୍ଯ୍ୟଙ୍କୁ ଜଣେ ଉଜ୍ଜ୍ୱଳ ଓ ଜ୍ଞାନୀ ଅଧିକାରୀ ବୋଲି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ। ସେ ୨୦୦୮ ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ। ମୁକୁଲ ଆର୍ଯ୍ୟ ପୂର୍ବରୁ କାବୁଲ ଏବଂ ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଥିଲେ।
ରହସ୍ୟମୟ ଅବସ୍ଥାରେ ଭାରତୀୟ ଅଧିକାରୀମାନେ ଦୂତାବାସ ଭିତରେ ମୁକୁଲ ଆର୍ଯ୍ୟଙ୍କ ମୃତଦେହ ପାଇଥିଲେ। ଏହି ଘଟଣା ପରେ ମୁକୁଲଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପାଲେଷ୍ଟାଇନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ପାଲେଷ୍ଟାଇନରେ ଦେହାନ୍ତ ଖବର ବୈଦେଶିକ ମନ୍ତ୍ରଣାଳୟ ଚକିତ ହୋଇଯାଇଛି। ଏହି ଦୁଃଖଦ ଖବର ପ୍ରକାଶ ପାଇବା ମାତ୍ରେ ରାଷ୍ଟ୍ରପତି ମହମ୍ମଦ ଅବ୍ବାସ ଏବଂ ପ୍ରଧାନମନ୍ତ୍ରୀ ଡକ୍ଟର ମହମ୍ମଦ ଶଟାୟେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
