ପଡ଼ିଆରେ ‘ପୁଷ୍ପା’ ଆକ୍ସନ ଦେଖାଇଲେ ବିରାଟ, ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ : ଭାରତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଏକ ଇନିଂସ ଏବଂ ୨୨୨ ରନରେ ପରାସ୍ତ କରି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅନେକ ସ୍ୱତନ୍ତ୍ର ଥିଲା । ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ ଶ୍ରୀଲଙ୍କା ଦଳ ସେମାନଙ୍କର ୩୦୦ ତମ ମ୍ୟାଚ୍ ଖେଳିଥିଲା । ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳିବାରେ ବିରାଟ ଦ୍ୱାଦଶ ଭାରତୀୟ ଖେଳାଳି ହୋଇଥିଲେ । ତେବେ ଏହି ଐତିହାସିକ ମ୍ୟାଚରେ ସେ ମାତ୍ର ୪୫ ରନ୍ ସ୍କୋର କରିପାରିଥିଲେ । ବିରାଟ ଯଦିଓ ଭଲ ବ୍ୟାଟିଂ କରି ପରି ନଥିଲେ ତଥାପି ତାଙ୍କ ଆକ୍ସନ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ । ମ୍ୟାଚର ତୃତୀୟ ଦିନରେ ସେ ପଡ଼ିଆରେ ଏକ ନିଆରା ସେଲିବ୍ରେସନ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମୋହାଲି ଟେଷ୍ଟର ତୃତୀୟ ଦିନରେ ଯେତେବେଳେ ରବୀନ୍ଦ୍ର ଜାଡେଜାଙ୍କ ବୋଲରେ ଲାସିଥ ଆମ୍ବୁଲଡେନିଆଙ୍କୁ ଆଉଟ ହୋଇଥିଲେ, ସେତେବେଳେ କୋହଲି ଫିଲ୍ମ ‘ପୁଷ୍ପା’ର ‘ମେ ଝୁକେଗା ନାହି’ ଆକ୍ସନ କରି ରବିନ୍ଦ୍ର ଜାଡେଜାଙ୍କ ସହ ସେଲିବ୍ରେସନ କରୁଥିବାର ନଜର ଆସିଥିଲେ । ବିରାଟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେଉଛି । ବିରାଟଙ୍କ ପୂର୍ବରୁ ମଧ୍ୟ ଅନେକ ଖେଳାଳି ‘ପୁଷ୍ପା ଦି ରାଇଜ୍’ ଫିଲ୍ମର ଷ୍ଟେପ୍ କରୁଥିବାବେଳେ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ରବିନ୍ଦ୍ର ଜାଡେଜା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ।
ବିରାଟଙ୍କ ଏହି ୧୦୦ ତମ ଟେଷ୍ଟ ପାଇଁ ବିସିସିଆଇ ୫୦ ପ୍ରତିଶତ ପ୍ରଶଂସକଙ୍କୁ ଷ୍ଟାଡିୟମକୁ ଆସିବାକୁ ଅନୁମତି ଦେଇଥିଲା । କୋହଲିଙ୍କ ୭୧ ତମ ଶତକ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କିନ୍ତୁ ଏହା ହୋଇପାରି ନଥିଲା । ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବର୍ତ୍ତମାନ ବେଙ୍ଗାଲୁରୁରେ ଖେଳାଯିବ, ଯାହାକି ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ହେବ ।
