ଦୁଃଖଦ ଘଟଣା! ବିଏସଏଫ ମୁଖ୍ୟାଳୟରେ ଆଖିବୁଜା ଗୁଳିମାଡ଼, ଅଭିଯୁକ୍ତ ‘ସାଟ୍ଟେପ୍ପା’ ସମେତ ୫ ଯବାନ ମୃତ
ଅମୃତସର : ପଞ୍ଜାବର ଅମୃତସର ସହରରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ବିଏସଏଫ ମୁଖ୍ୟାଳୟର ମେସରେ ବସିଥିବା ବିଏସଏଫ ଯବାନଙ୍କ ଉପରେ ଜଣେ ସାଥି ଆଖିବୁଜା ଗୁଳି ଚଳାଇଥିଲେ। ଏହି ପୂରା ଘଟଣାରେ ୧୦ ଜଣ ଯବାନ ଆହତ ହୋଇଥିଲେ, ଯେଉଁଥିରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଗୁଳିମାଡ କରିଥିବା ଯବାନ ମଧ୍ୟ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଘଟଣାରେ ମୋଟ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଛି।
ବିଏସଏଫ ମୁଖ୍ୟାଳୟର ମେସରେ ରକ୍ତର ନଦୀ ବୁହାଇଥିବା ଯବାନଙ୍କ ନାମ ସାଟ୍ଟେପ୍ପା ଏସକେ । ସେ ଅମୃତସରର ବିଏସଏଫ ଏଚକ୍ୟୁ ୧୪୪ ବିଏନ ଖାସାରେ କନେଷ୍ଟବଳ ଭାବେ ନିଯୁକ୍ତ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଅଭିଯୁକ୍ତ ‘ସାଟ୍ଟେପ୍ପା’ କୌଣସି କଥାକୁ ନେଇ ଜଣେ ବରିଷ୍ଠ ବିଏସ୍ଏଫ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ରବିବାର ସକାଳେ ଡ୍ୟୁଟିରେ ଥିବା ‘ସାଟ୍ଟେପ୍ପା’ ହଠାତ ରାଗିଯାଇ ରାଇଫଲ ସାହାଯ୍ୟରେ ସାଥି ଯବାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଅଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିଲେ। ଘଟଣା ପରେ ସମସ୍ତଙ୍କୁ ଗୁରୁ ନାନକ ଦେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହତ ଯବାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ବାସିନ୍ଦା ‘ସାଟ୍ଟେପ୍ପା’ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗୁରୁତରଙ୍କ ଚିକିତ୍ସା ଚାଲିଛି। ବିଏସଏଫ୍ ଅଧିକାରୀମାନେ ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହଁନ୍ତି। ଏହି ଘଟଣା ପରେ ମୃତ ଓ ଆହତ ଯବାନଙ୍କ ପରିବାରକୁ ଘଟଣା ସମ୍ପର୍କରେ ଅବଗତ କରାଯାଉଛି। ବିଏସଏଫ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ପୁରା ଘଟଣାର ନଜର ରଖିଛନ୍ତି। ଘଟଣାର କୋର୍ଟ ମାର୍ସାଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ‘ସାଟ୍ଟେପ୍ପା’ ଗୁଳି ମାଡ କରିଥିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ କିଛି ଦିନ ହେଲା ସେ ଚିନ୍ତାରେ ରହୁଥିଲେ ଏବଂ ଡ୍ୟୁଟି ଚେଞ୍ଜ କରିବା ପାଇଁ ବାରମ୍ବାର ଆବେଦନ କରୁଥିଲେ ବୋଲି ସୂଚନା ମିଳିଛି। ତେବେ ହେଡ୍ କ୍ୱାଟରରେ ନିଜ ଡ୍ୟୁଟିକୁ ନେଇ ନାଖୁସ ଥିବା ଅନୁମାନ କରାଯାଉଛି।
