ଆଇପିଏଲ୍-୨୦୨୨ ପାଇଁ ଖେଳସୂଚୀ ଜାରି
ମାର୍ଚ୍ଚ ୨୬ରେ ଚେନ୍ନାଇ-କୋଲକତା ମଧ୍ୟରେ ପ୍ରଥମ ମ୍ୟାଚ୍
ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)-୨୦୨୨ ପାଇଁ ଖେଳସୂଚୀ ଜାରି ହୋଇଯାଇଛି। ମାର୍ଚ୍ଚ ୨୬ ତାରିଖ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର୍) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାନଖେଡେ ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ଖେଳାଯିବ। ୨୦୨୨ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍ ଓ୍ଵାନଖେଡେ ଷ୍ଟାଡିୟମରେ ହିଁ ମେ’ ୨୨ରେ ସଂଧ୍ୟା ୭ରେ ଖେଳାଯିବ।
ଚଳିତ ବର୍ଷର ଆଇପିଏଲ୍ ଅଧିକ ରୋମାଞ୍ଚକ ହେବା ଆଶା କରାଯାଉଛି। କରୋନା ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ ଆଇପିଏଲ ମ୍ୟାଚ୍ ଭାରତରେ ଖେଳାଯାଇନଥିଲା। ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ୨ ବର୍ଷ ପରେ ଭାରତରେ ଆଇପିଏଲ ମ୍ୟାଚ ଖେଳାଯାଉଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯିବା ନିଶ୍ଚିତ। ତେବେ କରୋନା ପରିସ୍ଥିତିକୁ ଦେଖି ଦର୍ଶକଙ୍କୁ ପ୍ରବେଶ ମିଳିବ। ଅନ୍ୟପଟରେ ଚଳିତ ଥର ଆଇପିଏଲ ଟ୍ରଫି ପାଇଁ ୧୦ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ।
ଆଇପିଏଲ ୨୦୨୨ରେ ୧୦ ଦଳକୁ ଦୁଇଟି ଗ୍ରୁପ ବଣ୍ଟା ଯାଇଛି। ଏଥିରେ ପ୍ଲେ ଅଫ ଏବଂ ଫାଇନାଲ୍ ମଧ୍ୟ ସାମିଲ୍। ପ୍ରତି ଦଳ ନିଜ ଗ୍ରୁପରେ ଥିବା ଦଳ ସହିତ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହା ବାଦ୍ ଦ୍ଵିତୀୟ ଗ୍ରୁପରେ ବାକି ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ। ଉଦାହରଣ ସ୍ଵରୂପ ଗ୍ରୁପ ଏରେ ମୁମ୍ଵାଇ ଇଣ୍ଡିଆନ୍ସ ଦଳ କେକେଆର, ଆରଆର, ଡିସି, ଏଲଏସଜି ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହା ପରେ ମୁମ୍ବାଇ ସିଏସକେ ବିରୋଧରେ ୨ଟି ମ୍ୟାଚ୍ ଏବଂ ଗ୍ରୁପ ବିରେ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ। ସେହିପରି ଗ୍ରୁପ ବିରେ ଆରସିବି ଦଳ ସିଏସକେ, ଏସଆରଏଚ, ପିବିକେଏସ ଏବଂ ଜିଟି ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଆରସିବି ଗ୍ରୁପ ଏରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦୁଇଟି ଏବଂ ଅନ୍ୟ ୪ ଦଳ ସହିତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ।ଏହିପରି ୧୦ଟି ଦଳ ମୋଟ୍ ୧୪ ଲିଗ୍ ମ୍ୟାଚ୍ ଖେଳିବେ। ସାତୋଟି ମ୍ୟାଚ୍ ଘରୋଇ ଏବଂ ସାତୋଟି ବାହାରେ ଖେଳିବେ। ୭୦ଟି ଲିଗ୍ ପରେ ୪ ପ୍ଲେଅଫ ମ୍ୟାଚ୍ ଖେଳାଯିବ। ସମସ୍ତ ଦଳ ଓ୍ଵାଙ୍ଖେଡେ ଷ୍ଟାଡିୟମ ଏବଂ ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମରେ ୪-୪ ମ୍ୟାଚ୍ ଖେଳିବେ। ବ୍ରାବୋର୍ଣ୍ଣ ଷ୍ଟାଡିୟମ ଏବଂ ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ, ପୁଣେରେ ୩-୩ ମ୍ୟାଚ୍ ଖେଳାଯିବ। ୨୦୨୨ ମାର୍ଚ୍ଚ ୨୬ରୁ ଆଇପିଏଲ ୨୦୨୨ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ମେ ୨୯ରେ ଖେଳାଯିବ। ପ୍ଲେଅଫ ମ୍ୟାଚ୍ର ସ୍ଥାନ ପରେ ସ୍ଥିର କରାଯିବ।
