କିଏ ମାରିବ ବାଜି ? ବିଏମସି ମେୟର ପଦ ପାଇଁ ମୁହାଁମୁହିଁ ହେବେ ତିନି ମହିଳା
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାରେ ଅନ୍ତ ଘଟାଇ ପୌର ନିର୍ବାଚନ ପାଇଁ ବିଜେଡି ଘୋଷଣା ମେୟର ପ୍ରାର୍ଥୀ । ତିନୋଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି ସୁଲୋଚନା ଦାସ । କଂଗ୍ରେସରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୁଲୋଚନା ଦାସ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ବିଜେଡି ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ତରଫରୁ ମେୟର ଭାବେ ପ୍ରାର୍ଥୀ କରାଯାଇଛି ।
ସେପଟେ କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କଟକ ମହାନଗର ନିଗମ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । ତେବେ ବାମ ଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପରେ ବିଜେଡିର ଯୋଗଦେଇଥିଲେ । ଜଣେ ଦକ୍ଷ ସଂଗଠନ ଭାବେ ବେଶ୍ ଜଣାଶୁଣା ସୁବାସ ସିଂ । ଏବେ ସୁବାସ ସିଂହ ରାଜ୍ୟସଭାର ସାଂସଦ ଅଛନ୍ତି । ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । ସଂଘମିତ୍ରା ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି ।
ମାର୍ଚ୍ଚ ୨ ତାରିଖରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ୭ ତାରିଖ ଯାଏ ଚାଲିବ । ୯ ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ ।୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ। ସେପଟେ ନିଜ ମେୟର ପ୍ରାର୍ଥୀ କିଏ ହେବ, ସେ ରହସ୍ୟ ଉପରୁ ପରଦା ଉଠାଇଛି ଭାରତୀୟ ଜନତା ପାର୍ଟି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ନ୍ୟସ୍ତ ଥିଲା ଏହି ଦାୟିତ୍ୱ । ଏବଂ ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ପ୍ରମାଣିତ କରି ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ଜଣେ ନବାଗତାଙ୍କ ନାଁ ଘୋଷଣା କଲେ ଅପରାଜିତା। ସାହିତ୍ୟିକା ଡଃ. ସୁନୀତି ମୁଣ୍ଡଙ୍କ ନାଁକୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଅପରାଜିତା । ସୁନୀତି ମୁଣ୍ଡ ରାଜନୀତି କ୍ଷେତ୍ରରେ ଏକ ନୂଆ ମୁହଁ । ଏକଥା ଅପରାଜିତା ମଧ୍ୟ କହିଛନ୍ତି।
ସୁନୀତି ଗତ ୧୫ ବର୍ଷରୁ ଅଧିକ ସମୟ ଧରି ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅଛନ୍ତି । ଆଜି ପର୍ଯ୍ୟନ୍ତ ସେ ୨୦ରୁ ଅଧିକ ପୁସ୍ତକ ଲେଖି ସାରିଛନ୍ତି । ଦୂରଦର୍ଶନ ଓ ରେଡିଓରେ ସେ ସଫଳତାର ସହ କାମ କରିଛନ୍ତି। ବିଭିନ୍ନ ହସ୍ପିଟାଲ ଏବଂ ଶିକ୍ଷା କ୍ଷେତ୍ରରେ ବି ସଫଳତାର ସହ କାମ କରିଛନ୍ତି । ଦକ୍ଷ ଚାରିଟେବୁଲ ଟ୍ରଷ୍ଟର ସେ ଅଛନ୍ତି ଅଧ୍ୟକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ଷମତାକୁ ସୁନୀତି ଭୂୟସୀ ପ୍ରଶଂସା କରିବା ସହ ଭୁବନେଶ୍ୱରକୁ ଏକ ସୁନ୍ଦର ସହରରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
ସେହିପରି ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ପୂର୍ବତନ କଂଗ୍ରେସ ବିଧାୟକଙ୍କ ବୋହୁ । ସେ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ଏଥିସହ ସେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଜଡିତ ଥିଲେ । ଟିକେଟ ପାଇବା ପରେ ଦଳକୁ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବାକୁ ଅପିଲ କରିଛନ୍ତି ମଧୁସ୍ମିତା । ବର୍ତ୍ତମାନ ବିଏମସି ପାଇଁ ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀ ସ୍ପଷ୍ଟ ହୋଇ ସାରିଥିବା ବେଳେ କିଏ ଜିତିବ ଏବଂ ଭୋଟର କାହା ଉପରେ ଅଧିକ ଆସ୍ଥା ପ୍ରକଟ କରିବେ, ତାହା ନିର୍ବାଚନ ଫଳାଫଳ ହିଁ କହିବ । ତେବେ ଗୋଟିଏ କଥା ସ୍ପଷ୍ଟ ଏଥର ମେୟର ନିର୍ବାଚନରେ ହେବ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ।
