ଏୟାର ପକେଟ୍ ସହ ଧକ୍କା ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିମାନ, ବାରଣାସୀରୁ ଫେରୁଥିଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ବାରଣାସୀରୁ ଫେରୁଥିବା ବେଳେ ତାଙ୍କ ବିମାନ ଟର୍ବୁଲାଂସର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ସରକାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କୁ ଶନିବାର ଜବାବ ତଲବ କରିଛନ୍ତି । ଏଥିରେ ବିମାନ ଶୁକ୍ରବାର ଯେଉଁ ମାର୍ଗରେ ଉଡାଣ କରୁଥିଲା ସେଥିପାଇଁ ପୂର୍ବ ଅନୁମତି ଦିଆଯାଇଥିଲା କି ବୋଲି ପଚରାଯାଇଛି । ମମତା ବାନାର୍ଜୀ ସମାଜାବାଦୀ ପାର୍ଟିର ପ୍ରଚାର ଲାଗି ଉତ୍ତରପ୍ରଦେଶ ଯାଇଥିଲେ । ତେବେ ଫେରିବା ରାସ୍ତାରେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ମମତା ଫେରୁଥିବା ଚାର୍ଟଡ ବିମାନ ଏକ ଏୟାର ପକେଟ ସହ ଧକ୍କା ଖାଇଥିଲା । ଫଳରେ ବିମାନଟି ମଝି ଆକାଶରେ ଦୋହଲି ଯାଇଥିଲା । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନ ନିୟନ୍ତ୍ରିତ ହୋଇପାରିଥିବା ବେଳେ ସହଜରେ ଏୟାର ପକେଟରୁ ବାହାର ଯାଇଥିଲା । ପରେ ବିମାନଟି କୋଲକାତା ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା ।
ତେବେ ବିମାନ ଏୟାର ପକେଟ୍ ସହ ଧକ୍କା ଲାଗିବା ଯୋଗୁ ମମତା ବାନାର୍ଜୀ ଆହତ ହୋଇଥିବା ଜଣାପଡିଛି। ତାଙ୍କ ପିଠିରେ ଆଘାତ ଲାଗିଛି। ମମତା ଯାତ୍ରା କରୁଥିବା ବିମାନଟି ଏକ ଡାସଲ୍ଟ ଫାଲକନ-୨୦୦୦ ହାଲୁକା ବିମାନ ଥିଲା। ଏଥିରେ ପାଇଲଟ ଓ ଚାଳକ ଦଳ ସମେତ ମୋଟ ୧୯ ଜଣଙ୍କ ଯାତ୍ରା ଲାଗି ଉଦ୍ଧିଷ୍ଟ। ଏଣୁ ମାମଲାର ଉଚ୍ଚସ୍ତରୀୟ ଯାଞ୍ଚ ଲାଗି ପଶ୍ଚିମବଙ୍ଗ ସରକାର ଦାବି କରିଛନ୍ତି। ଟିଏମସି ଜାତୀୟ ମୁଖପାତ୍ର ସୁଖେନ୍ଦୁ ଶେଖର ଏହା ଏକ ଗୁରୁତର ଘଟଣା ଓ ମୁଖ୍ୟମନ୍ତ୍ରୀଙ୍କ ଲାଗି ବାସ୍ତବିକ ବିପଦଜନକ ଥିଲା ବୋଲି କହିଛନ୍ତି। ଏଭିଏସନ ଦୃଷ୍ଟିରୁ ଡିଜିସିଏ ମାମଲାର ଯାଞ୍ଚ କରିବା ଜରୁରି ବୋଲି କହିଛନ୍ତି।
