ଶ୍ରୀମନ୍ଦିର ସୁରକ୍ଷା ନେଇ ସିଂହଦ୍ବାର ସାମ୍ନାରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ନେଇ ତୀବ୍ର ହେଉଛି ପ୍ରତିକ୍ରିୟା..ବଢୁଛି ଆନ୍ଦୋଳନ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜଗନ୍ନାଥପ୍ରେମୀ । ଶନିବାର ସିଂହଦ୍ବାର ସାମ୍ନାରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଡ଼ ଦେଉଳକୁ ବିପଦରେ ପକାଇ ଚାରିପାଖେ ଚାଲିଥିବା ଖନନକୁ ତୁରନ୍ତ ବନ୍ଦ କରିବାକୁ ସେନା ଦାବି କରିଛି । ଏଏସଆଇ ଡିଜି କେବଳ ମୌଖିକ ଭାବେ କହିଲେ ହେବ ନାହିଁ, ବରଂ ବନ୍ଦ କରିବାକୁ ଠୋସ୍ ପଦକ୍ଷେପ ନିଆନ୍ତୁ ବୋଲି ଦାବି ହୋଇଛି । ସେପଟେ କେବଳ ଜଗନ୍ନାଥ ସେନା କିମ୍ବା ସାଧାରଣ ଲୋକ ନୁହନ୍ତି ।
ସେବାୟତଙ୍କ ପକ୍ଷରୁ ବି ଖନନ କାର୍ୟ୍ୟକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଏଭଲି ବେଆଇନ ନିର୍ମାଣକୁ ତୀବ୍ର ବିରୋଧ କରିଛନ୍ତି । ସେବାୟତମାନେ ଏକ ହୋଇ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସେ ଉଭୟ ଶାସକ ଓ ବିରୋଧୀଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି । ସେବାୟତ ସୋମନାଥ ଖୁଣ୍ଟିଆ ବି ସରକାରଙ୍କ କାର୍ୟ୍ୟକଳାପକୁ ନିନ୍ଦା କରିଛନ୍ତି । ବଡ ଦେଉଳ ପାଖରେ ବଡ ବଡ ମେସିନ ଲଗାଇ ଯେଉଁ ବେଆଇନ ଖନନ କାର୍ୟ୍ୟ କରାଯାଉଛି ତାକୁ ନେଇ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ ନିଜ ମତ ରଖିଛନ୍ତି । ଏହି ପ୍ରସଙ୍ଗକୁ ଆଗାମୀ ୧୭ ତାରିଖ ବୈଠକରେ ଉଠାଯିବ ବୋଲି ମତ ରଖିଛନ୍ତି ।
