ବାଲେଶ୍ୱରରେ ‘ସ୍ମାର୍ଟ ଆକ୍ୱା ଏକ୍ସପୋ-୨୦୨୨’ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାମପଦା ସ୍ଥିତ ନୋସି ବିଜିନେସ ପାର୍କରେ ଅଗ୍ରଣୀ ମତ୍ସ୍ୟଚାଷ ସଚେତନତା ଭିତ୍ତିକ ପତ୍ରିକା ‘ସ୍ମାର୍ଟ ଏଗ୍ରି ପୋଷ୍ଟ’ ଆନୁକୂଲ୍ୟରେ ‘ସ୍ମାର୍ଟ ଆକ୍ୱା ଏକ୍ସପୋ-୨୦୨୨’ ଉଦ୍ଘାଟିତ ହୋଇଯାଇଛି । ମତ୍ସ୍ୟ ଚାଷୀ ଓ ମତ୍ସ୍ୟ ବ୍ୟବସାୟୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ବିଭିନ୍ନ ମାଛଖାଦ୍ୟ, ମାଛ ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ସମ୍ବଳିତ ୫୦ରୁ ଊର୍ଦ୍ଧ୍ୱ ଷ୍ଟଲ ଲାଗିଥିଲା । ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ମତ୍ସ୍ୟଚାଷୀ ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ । ଏହି ଏକ୍ସପୋ ୨ଦିନ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡ଼ିଛି ।
କାର୍ଯ୍ୟକ୍ରମରେ ‘ସ୍ମାର୍ଟ ଏଗ୍ରି ପୋଷ୍ଟ’ର ମୁଖ୍ୟ ସମ୍ପାଦକ ପ୍ରଭାସ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସରକାରଙ୍କ ମତ୍ସ୍ୟଚାଷ ଓ ପଶୁସମ୍ପଦ ବିକାଶ ବିଭାଗ ପ୍ରମୁଖ ସଚିବ ଆର ରଘୁ ପ୍ରସାଦ ଏହି ମତ୍ସ୍ୟଚାଷ ଓ ବ୍ୟବସାୟ ଭିତ୍ତିକ ମେଳାକୁ ଉଦ୍ଘାଟନ କରିଥିଲେ । ରାଜ୍ୟ ତଥା ଦେଶର ଆର୍ଥିକ ବିକାଶରେ ମତ୍ସ୍ୟଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ଭାରତ ସରକାରଙ୍କ ମତ୍ସ୍ୟଚାଷ ବିଭାଗ ଯୁଗ୍ମ ସଚିବ ସାଗର ମେହେରା, ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ସି ଫୁଡ ଏକ୍ସପୋର୍ଟ ଆସୋସିଏସନର ପ୍ରାକ୍ତନ ରାଜ୍ୟ ସଭାପତି ଗୋରାଚାନ୍ଦ ମହାନ୍ତି, ଆକ୍ୱା କଲଚର ଆସୋସିଏସନ ରାଜ୍ୟ ଉପ-ସଭାପତି ସଂଗ୍ରାମ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଖାରିଜଳ ଓ ମଧୁରଜଳ ମାଛଚାଷରରେ ଦେଖା ଦେଇଥିବା ସମସ୍ୟା ଏବଂ ତା’ର ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ମତ୍ସ୍ୟଚାଷ କ୍ଷେତ୍ରରେ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର, ସରକାରୀ ରିହାତିର ସଦୁପୋଯୋଗ ଓ ଉତ୍ପାଦିତ ମତ୍ସ୍ୟର ଲାଭ ସହ ଅଧିକ ମୂଲ୍ୟରେ ବିକ୍ରି କ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ ।
