ଶହେ ତମ ଟେଷ୍ଟ୍ ପାଇଁ ବିରାଟଙ୍କୁ ସ୍ୱତନ୍ତ୍ର କ୍ୟାପ୍ ଦେଲେ କୋଚ୍ ଦ୍ରାବିଡ
ନୂଆଦିଲ୍ଲୀ : ଭାରତର ଦ୍ବାଦଶ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି ବିରାଟ କୋହଲି । ତେବେ ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ ବିରାଟଙ୍କୁ ସ୍ୱତନ୍ତ୍ର କ୍ୟାପ୍ ଦେଇଛନ୍ତି । ଏହି ସମୟରେ ମୋହାଲୀ ଷ୍ଟାଡିୟମରେ ପତ୍ନୀ ଅନୁଷ୍କା ବି ଉପସ୍ଥିତ ଥିଲେ ।
ଏହାକୁ ନେଇ ବିରାଟ କହିଛନ୍ତି ଯେ, ସେ ଟେଷ୍ଟ୍ କ୍ୟାରିଅର ଅରମ୍ଭ କରିବା ସମୟରେ କେବେ ଶହେତମ ଟେଷ୍ଟ୍ ଖେଳିବେ ବୋଲି ଭାବି ନଥିଲେ । ସେ ନିଜର ସବୁ କିଛି କ୍ରିକେଟକୁ ଦେଇଛନ୍ତି । ଏବେ ବି ସବୁ ମ୍ୟାଚ୍ ପୂର୍ବରୁ ତାଙ୍କୁ ଡର ଲାଗିଥାଏ । ଶ୍ରୀଲଙ୍କା ବିପକ୍ଷ ଶହେତମ ଟେଷ୍ଟ୍ ପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଦାର୍ପଣ ଟେଷ୍ଟରେ ୪ ଓ ୧୫ ରନ୍ କରିବା ପରେ ଏହି ତାରକା ୫୦.୩୯ ହାରରେ ଏପର୍ଯ୍ୟନ୍ତ ଖେଳିଥିବା ୯୯ ଟେଷ୍ଟରୁ ୭୯୬୨ ରନ୍ ସଂଗ୍ରହ କରିସାରିଛନ୍ତି। ‘ସଚ୍ଚୋଟତାର ସହ କହୁଛି ମୁଁ କେବେ ଭାବିନଥିଲି ଦିନେ ୧୦୦ ଟେଷ୍ଟ ଖେଳିବି। ଏହା ଏକ ଲମ୍ବା ଯାତ୍ରା, ଏହି ୧୦୦ ଟେଷ୍ଟ ଅବସରରେ ଅନେକ କ୍ରିକେଟ୍ ଖେଳିଛି। ପ୍ରଚୁର ଅନ୍ତର୍ଜାତୀୟ କ୍ରିକେଟ୍ ଭିତରେ ୧୦୦ରେ ପହଞ୍ଚି ପାରିଥିବାରୁ ମୁଁ ଚିର କୃତଜ୍ଞ। ମୁଁ ମଧ୍ୟ ଈଶ୍ବରଙ୍କ ନିକଟରେ କୃତଜ୍ଞତା ଜଣାଉଛି। ମୋ ଫିଟନେସ୍ ଉପରେ କଠୋର ପରିଶ୍ରମ କରିଛି। ଏହି ଟେଷ୍ଟକୁ ନେଇ ମୁଁ, ମୋ ପରିବାର, ମୋ ପ୍ରଶିକ୍ଷକ ବହୁତ ଖୁସି ଓ ଗୌରବାନ୍ବିତ ବୋଲି କୋହଲି ତାଙ୍କ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି। ସୁନିଲ ଗାଭାସ୍କର, ଦିଲୀପ ଭେଙ୍କସରକାର, କପିଳ ଦେବ, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗ, ହରଭଜନ ସିଂହ ଏବଂ ଈଶାନ୍ତ ଶର୍ମା ଏହି କ୍ଲବରେ ପୂର୍ବରୁ ସଦସ୍ୟ ଅଛନ୍ତି। ଶୁକ୍ରବାରଠାରୁ ବିରାଟ କୋହଲି ୧୨ତମ ସଦସ୍ୟ ଭାବେ ସାମିଲ ହୋଇଯିବେ।
ନିଜ ଟେଷ୍ଟ ଜୀବନର ମାଇଲଖୁଣ୍ଟ ମ୍ୟାଚ୍ ଖେଳିବା ପୂର୍ବରୁ ବିରାଟ କୋହଲି ଗୁରୁବାର ନିଜ ଫାଉଣ୍ଡେସନ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ବୁଲା କୁକୁରଙ୍କ ଥଇଥାନ ଓ ଚିକିତ୍ସା ପାଇଁ କାମ କରୁଥିବା ବିରାଟ କୋହଲି ଫାଉଣ୍ଡେସନ୍ର ଏକ ଆମ୍ବୁଲାନ୍ସକୁ ମଧ୍ୟ କୋହଲି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଥଇଥାନ କେନ୍ଦ୍ରରେ ସଦ୍ୟ ଭର୍ତ୍ତି ହୋଇଥିବା ଆହତ ଜୁଲି (କୁକୁର)କୁ ଭେଟିଥିଲେ। ସୂଚନାଯୋଗ୍ୟ, ଭିଭାଲ୍ଡିସ୍ ଆନିମଲ ହେଲ୍ଥ ଏବଂ ଆୱାଜ ଭଏସ୍ ସହଯୋଗରେ ବୁଲା ପଶୁଙ୍କ ପାଇଁ କୋହଲିଙ୍କ ଫାଉଣ୍ଡେସନ୍ ମଧ୍ୟ କାର୍ଯ୍ୟ କରୁଛି। ୨୦୨୯ରେ ମଧ୍ୟ ପେଟା ସମ୍ମାନ ପାଇଥିଲେ କୋହଲି।
ସୂଚନାଯୋଗ୍ୟ, କୋହଲି ୨୦୧୧ରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପଦାର୍ପଣ କରିଥିଲେ । ଏହି ଟେଷ୍ଟରେ ସେ ୪ ଓ ୧୫ ରନ୍ କରିଥିଲେ । ଏହାପରେ ସେ ଦମଦାର ଇନିଂସ ଖେଳି ରେକର୍ଡ ପରେ ରେକର୍ଡ କରିଥିଲେ । ଟେଷ୍ଟରେ ସେ ୭୯୬୨ ରନ୍ କରିଥିବା ବେଳେ ତାଙ୍କ ଆଭରେଜ୍ ରହିଛି ୫୦.୩୯ ।
