ଚନ୍ଦନେଶ୍ୱର ଓ ଭୂଷଣ୍ଡେଶ୍ୱର ପୀଠରେ ଜାଗର ଜାଳିଲେ ଅସଂଖ୍ୟ ଶ୍ରଦ୍ଧାଳୁ
ସବୁଠି ଓଁ ନମଃ ଶିବାୟ ଭକ୍ତମୟ ଶୈବପୀଠ
ଭୋଗରାଇ : ବାଲେଶ୍ୱର ଜିଲାର ବିଭିନ୍ନ ମହାଦେବଙ୍କ ମନ୍ଦିରରେ ମଙ୍ଗଳବାର ପ୍ରତ୍ୟୁଷରୁ ଭକ୍ତମାନେ ଭଗବାନଙ୍କ ଠାରେ ଆରାଧନା କରିଛନ୍ତି । ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଦେବଦେବ ମହାଦେବ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ୍ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମନ୍ଦିରରେ ଓଡ଼ିଶା ଓ ପଶ୍ଚିମବଙ୍ଗର ସହସ୍ରାଧିକ ଶ୍ରଦ୍ଧାଳୁ ବ୍ରତ ପାଳନ କରି ଶଙ୍କରଙ୍କ ଠାରେ ପୂଜାର୍ଚ୍ଚନା ଓ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ଚୌକି ଗ୍ରାମର ନୀଳକଣ୍ଠେଶ୍ୱର, ଦେଉଳା ହାଟ ଠାରେ ଅନନ୍ତ ପୁରୁଷତ୍ତୋମ, ଭୋଗରାଇ ଓ କମର୍ଦ୍ଦାରେ ବାରଦେଉଳି, କୁମ୍ଭାରମୂଳୀରେ ଧବଳେଶ୍ୱର, କାଳାହି ଓ ଗୋବର୍ଦ୍ଧନପୁରରେ ଝଗଡ଼େଶ୍ୱର, ଆରୁହାବୃତ୍ତିରେ ଅଷ୍ଟଶମ୍ଭୁ, ନାମ୍ପୋରେ ତୈଲକେଶ୍ୱର, କୁସୁଡାରେ ବଡ଼ବଡେଶ୍ୱର, ପୁଟିଣାରେ ପୁଟିଣେଶ୍ୱର ସହ ମହେଶପୁର, ଜଳେଶ୍ୱରପୁର, ପସରବିନ୍ଧା, ଭୋଗରାଇଲକ୍, ବାଉଁଶଡିହା ପ୍ରମୁଖ ଗ୍ରାମୀଣ ମହାଦେବଙ୍କ ଠାରେ ସଂଖ୍ୟାଧିକ ମହିଳା ବ୍ରତଧାରୀମାନେ ପଇଡ଼, କ୍ଷୀର, କଦଳୀ, ବେଲପତ୍ର, ଫୁଲଚନ୍ଦନ, ଧୂପ ଓ ପୂଜା ସାମଗ୍ରୀ ନେଇ ମହାଦେବଙ୍କ ଠାରେ ଆରାଧନା କରିଛନ୍ତି ।
ସମସ୍ତ ଶୈବପୀଠରେ ମହିଳା ଶୈବଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳ ସେବାୟତ, ପୂଜାରୀ, ପଣ୍ଡାମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଶୈବଭକ୍ତମାନେ ମହାଦେବଙ୍କ ଉଦ୍ଦେଶ୍ୟରେ ପଞ୍ଚାମୃତ ପାନ କରିବା ସହିତ ହବିଷ ପାଳନ କରିଛନ୍ତି । ଏଥିସହିତ ମହାଦେବଙ୍କ ଠାରେ ଜାଗର ଜାଳିବା ନିମନ୍ତେ ଅସଂଖ୍ୟ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଭିଡ଼ ଲଗାଇଥିଲେ । ଧୂପ, ଦୀପ, ଝୁଣା ଓ ଶୈବମନ୍ତ୍ର ଠା, ଜପରେ ସମଗ୍ର ପରିବେଶ ଧର୍ମୀୟ ଭାବଧାରା ଉଜ୍ଜୀବିତ ହୋଇଥିବା ବେଳେ ଭଜନକୀର୍ତ୍ତନ, ପ୍ରବଚନରେ ମନ୍ଦିର ଚାରିପାଖ ମୁଖରିତ ହୋଇଥିଲା । ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଭୂଷଣ୍ଡେଶ୍ୱର ଜୀଉଙ୍କ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସକାଶେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନେ ମହାଦେବଙ୍କ ଠାରେ ଖୁସୀରେ ପୂଜାର୍ଚ୍ଚନା କରିଥିବା ବେଳେ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, କଂଗ୍ରେସ ନେତା ସତ୍ୟଶିବ ଦାସ, ଭାଜପାର ମାନସ ମହାନ୍ତିଙ୍କ ସହ ବହୁ ବରିଷ୍ଠ ନେତାମାନେ ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଶାସନ ଓ ପୋଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ସୁବିଧାସୂଯୋଗ କରାଯାଇଥିଲା ।
