ହେଲିକପ୍ଟର କ୍ରାସ୍, ୨ ପାଇଲଟ୍ ମୃତ
ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଶନିବାର ବଡ ଧରଣର ହେଲିକପ୍ଟର କ୍ରାସ୍ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଟ୍ରେନି ପାଇଲଟ ଅଛନ୍ତି । କୃଷ୍ଣା ନଦୀର ନାଗାର୍ଜୁନସାଗର ଡ୍ୟାମ ନିକଟ ପେଡାଭୁରା ବ୍ଲକର ତୁଙ୍ଗତୁର୍ଥୀ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ସକାଳେ ହେଲିକପ୍ଟରଟି କ୍ରାସ ହେବା ପରେ ପ୍ରବଳ ବିସ୍ଫୋରଣ ହୋଇଥିଲା । ଏହାଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଏହାପରେ ପୁଲିସ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା । କୁହାଯାଉଛି ଯେ କ୍ରାସ ହୋଇଥିବା ହେଲିକପ୍ଟରଟିକୁ ଟ୍ରେନି ପାଇଲଟ ଉଡାଉଥିଲେ । ତେବେ ମୃତ ଦୁଇ ପାଇଲଟଙ୍କ ନାଁ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେପଟେ ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାମ୍ନାକୁ ଆସିଥିବା ଭିଡିଓରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଭିତରୁ ମୃତକ ପାଇଲଟଙ୍କୁ କିଛି ଗାଁ ଲୋକେ ବାହାର କରିବାକୁ ଚେଷ୍ଟା ଦେଖିବାକୁ ମିଳିଛି । ଏହି ହେଲିକପ୍ଟରଟି ଫ୍ଲାଏଟେକ୍ ଆଭିଏସନ୍ର ସେସନା ୧୫୨ ମଡେଲ୍ ଥିଲା ।
ପ୍ରାଥମିକ ଅନୁସନ୍ଧାନ ପରେ ନାଲଗୋଣ୍ଡା ପୁଲିସ କହିଛି ଯେ ପେଡାଭୁରା ମଣ୍ଡଳର ତୁଙ୍ଗାତୁର୍ଥୀ ଗ୍ରାମରେ ଚାଷ ଜମିରେ କାମ କରୁଥିବା କିଛି କୃଷକଙ୍କ ଠାରୁ ସେମାନେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରବଳ ଧୂଆଁ ବାହାରୁଥିବାର ସୂଚନା ପାଇଥିଲେ । ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ଏହାପରେ ଦୁର୍ଘଟଣାସ୍ଥଳରେ ଜଣେ ମହିଳା ପାଇଲଟଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ଏହି ବିମାନଟି ହାଇଦ୍ରାବାଦର ଏକ ଘରୋଇ ବିମାନ ଚଳାଚଳ ଏକାଡେମୀ ଫ୍ଲାଏଟେକ୍ ଆଭିଏସନର ଥିଲା ବୋଲି ଜଣାପଡିଛି । ଆନ୍ଧ୍ରପ୍ରଦେଶର ଗୁଂଟୁର ଜିଲ୍ଲା ନାଗାର୍ଜୁନ ସାଗରରେ ଥିବା ସଂସ୍ଥାର ଏକ ଏକାଡେମୀରୁ ବିମାନଟି ଉଡାଣ ଭରିଥିଲା ।
