ଆମ ଫୋକସ ସ୍ୱାସ୍ଥ୍ୟ ସହିତ କଲ୍ୟାଣ ପାଇଁ ମଧ୍ୟ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି ଯେ ଭାରତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଉପରେ ସମାନ ରୂପରେ ଧ୍ୟାନ କେନ୍ଦ୍ରିତ କରିଛି, ଯାହାଫଳରେ ଆମ ସ୍ୱାସ୍ଥ୍ୟ ସେବାକୁ ଅଧିକ ସମାବେଶୀ ଏବଂ ମଜବୁତ କରାଯାଇ ପାରିବ । ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର କେନ୍ଦ୍ରୀୟ ବଜେଟ୍ ପରେ ୱେବିନାରର ଉଦ୍ଘାଟନ ପର୍ଯ୍ୟାୟକୁ ସମ୍ବୋଧିତ କରୁଥିଲେ । ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବୋଧିତ ବଜେଟ୍ ପରେ ୱେବିନାର ଶୃଙ୍ଖଳାର ପଂଚମ ଭାଗ ଥିଲା । ଆମ ସରକାର ପ୍ରୟାସ ଯେ ଭାରତର ଲୋକଙ୍କୁ ଉଚ୍ଛ ଗୁଣବତା ଏବଂ ଶସ୍ତା ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉ । ଏହି ବର୍ଷ ବଜେଟ୍ରେ ସ୍ୱାସ୍ଥ୍ୟ ସମ୍ବନ୍ଧୀତ ବୁନିୟାଦୀ ଢାଂଚାକୁ ବଢ଼ାଇବା ଉଦ୍ଦେଶ୍ୟରେ କେତେକ ପ୍ରାବଧାନ ଅଛି ।
‘ଏକ ଭାରତ, ଏକ ସ୍ୱାସ୍ଥ୍ୟ’ ଲକ୍ଷ୍ୟ ନେଇ ସରକାର ସ୍ୱାସ୍ଥ୍ୟ ସେବା ଭିତିଭୂମିକୁ ଦେଶର ବଡ଼ ବଡ଼ ସହର ବାହାରକୁ ସମ୍ପ୍ରସାରଣ କରିବା ଲାଗି କାମ କରୁଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବଜେଟ୍ ପରବର୍ତୀ ୱେବିନର୍ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତର ବଡ଼ ବଡ଼ ସହର ବାହାରେ ମଧ୍ୟ ଆମେ ସ୍ୱାସ୍ଥ୍ୟ ସେବା ଭିତିଭୂମି ନିର୍ମାଣ କରିବାକୁ ଚାହୁଁଛୁ । ‘ଏକ ଭାରତ, ଏକ ସ୍ୱାସ୍ଥ୍ୟ’ ଭାବଧାରାରେ ଗାଁଗଣ୍ଡାରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯିବ । ସେଗୁଡ଼ିକର ତତ୍ୱାବଧାନ ଏବଂ ଉନ୍ନତୀକରଣରେ ଘରୋଇ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହା ହେଉଛି ଦେଶର ସ୍ୱାସ୍ଥ୍ୟ ସେବା ଭିତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ଉପକ୍ରମ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଚଳନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହା ସ୍ୱାସ୍ଥ୍ୟସେବା ଭିତିଭୂମି କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତନ ଆଣିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସ୍ୱାସ୍ଥ୍ୟ ନୁହେଁ, ସୁସ୍ଥତା ଉପରେ ମଧ୍ୟ ସରକାରଙ୍କ ଧ୍ୟାନ ରହିବ । ଏଥିପାଇଁ ବଜେଟ୍ରେ ତିନୋଟି କଥା ବିଚାରକୁ ନିଆଯାଇଛି । ତାହା ହେଉଛି, ଆଧୁନିକ ଭିତିଭୂମି ଓ ମାନବ ସମ୍ବଳ ସମ୍ପ୍ରସାରଣ, ଗବେଷଣାକୁ ପ୍ରୋତ୍ସାହନ ଏବଂ ଆଧୁନିକ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ପରିଗ୍ରହଣ । ଡାକ୍ତରୀ ପଢ଼ିବାକୁ ଯାଇ ୟୁକ୍ରେନ୍ରେ ଫସି ଯାଇଥିବା ପିଲାଙ୍କ କଥା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ, ଆଜି ଆମ ପିଲାମାନେ ପଢ଼ିବା ପାଇଁ, ବିଶେଷକରି ଡାକ୍ତରୀ ପଢ଼ିବା ପାଇଁ ଛୋଟ ଛୋଟ ଦେଶମାନଙ୍କୁ ଯାଉଛନ୍ତି । ସେଠାରେ ତାଙ୍କ ପାଇଁ ଭାଷା ଗୋଟାଏ ସମସ୍ୟା । ତଥାପି ସେମାନେ ଯାଉଛନ୍ତି । ଆମ ଘରୋଇ ଉଦ୍ୟୋଗ ସବୁ କ’ଣ ଏ କ୍ଷେତ୍ରକୁ ବ୍ୟାପକ ଭାବେ ଆସି ପାରିବେ ନାହିଁ । ଏଥିପାଇଁ ଆମ ରାଜ୍ୟ ସରକାର ଜମି ଆବଂଟନ ଲାଗି ଉତମ ନୀତି ନିର୍ଦ୍ଧାରଣ କରିପାରନ୍ତେ ନାହିଁ ।
