ଭୋଟ ଗଣତି ଆରମ୍ଭ, ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୩୦ ଜିଲାର ୩୧୫ ଜୋନରେ ଜାରି ରହିଛି ଗଣତି । ଗଣତି ଆରମ୍ଭରେ ପ୍ରଥମେ ୱାର୍ଡ ସଭ୍ୟ ଓ ପରେ ସରପଞ୍ଚ ଏବଂ ସମିତିସଭ୍ୟ ଭୋଟ ଗଣତି ହେବ । ଶେଷରେ ଗଣତି ହେବ ଜିଲ୍ଲାପରିଷଦ ଭୋଟ । ଗଣତି ବେଳେ ପ୍ରତି ପଞ୍ଚାୟତ ପାଇଁ ଗୋଟିଏ ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ୪ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଜଣେ କାଉଣ୍ଟିଂ ସୁପରଭାଇଜର, ୨ ଜଣ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶେଣ୍ରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍ରେ ଭୋଟ ଗଣତି ହେଉଛି। ଆସନ୍ତାକାଲି ୩୦୭ ଓ ପରଦିନ ୨୨୯ ଜିଲ୍ଲା ପରିଷଦ ଜୋନ୍ରେ ଗଣତି ହେବ। ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତି ହେବ। ୩ ଦିନ ଯାଏ ଏହି ଗଣତି ଚାଲିବ। ତିନିଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ।
ଏଥର ଭୋଟ ଗଣତି ପାଇଁ ହୋଇଥିବା ବ୍ୟବସ୍ଥା ଅନୁସାରେ, ପ୍ରଥମ ଦିନ ସମସ୍ତ ୩୧୪ଟି ବ୍ଲକର ଜିଲ୍ଲା ପରିଷଦ ଜୋନ୍ ନମ୍ବର ୧ରେ ଭୋଟଗଣତି ହେବ । ଏହି ଜୋନ୍ ଅନ୍ତର୍ଗତ ସମସ୍ତ ପଂଚାୟତର ସରପଂଚ,ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ଭୋଟଗଣତି ହେବ । ଗୋଟିଏ ଜୋନ୍ ଅଧୀନରେ ଯେତିକି ପଂଚାୟତ ଥିବ ସେହି ପରିମାଣର ଗଣତି ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରଥମେ ୱାର୍ଡମେମ୍ବର, ତା’ପରେ ସରପଂଚ ଓ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ହେବ । ପ୍ରତି ୱାର୍ଡର ଗଣତି ସରିବା ପରେ ମାଇକ ଯୋଗେ ତାହା ଘୋଷଣା କରାଯିବ । ଜିଲ୍ଲା ପରିଷଦ ଭୋଟ ଫଳାଫଳ ରାଜ୍ୟ ନିର୍ବାଚନ କମିଶନର ୱେବପୋର୍ଟାଲ ‘ପରିଣାମ’ରେ ଉପଲବ୍ଧ ହେବ । ଏଥିପାଇଁ ପ୍ରତ୍ୟେକ ଭୋଟଗଣତି କେନ୍ଦ୍ରରେ ୨୪ଘଣ୍ଟିଆ ବିଦ୍ୟୁତ ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଲ୍ୟାପଟପ୍ ରହିବ । ପ୍ରତ୍ୟେକ ଦିନ ପାଇଁ ଧାର୍ଯ୍ୟ ଜୋନ୍ ୱାରି ଭୋଟ ଗଣତି ନସରିବା ପର୍ଯ୍ୟନ୍ତ ତାହା ବନ୍ଦ ହେବ ନାହିଁ ।
ରାଜ୍ୟର ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବରଗଡ଼ ଜିଲାର ଆମ୍ବୋଭୋନା ବ୍ଲକର ଦୁଇ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ବାକି ୮୫୨ଟି ଜିଲା ପରିଷଦ ଜୋନରେ ମୋଟ ୩୪୦୭ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ପାଂଚ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଫେବୃୟାରୀ ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଓ ଚତୁର୍ଥ ପର୍ଯ୍ୟାୟରେ ୭୯% ଓ ପଂଚମ ପର୍ଯ୍ୟାୟରେ ୭୬% ମତଦାନ ରେକର୍ଡ କରାଯାଇଛି ।
