ଆଜି ୧୧ ଜିଲାରେ ବିଜୁଳି ଓ ଘଡ଼ଘଡ଼ି, ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଛି । ବିଜୁଳି ସହ ଘଡ଼ଘଡ଼ି ମାରୁଛି । ଶନିବାର ମଧ୍ୟ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଓ କନ୍ଧମାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍.ଆର୍ ବିଶ୍ୱାସ କହିଛନ୍ତି, ୨୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ ରାୟଗଡ଼ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭, ୨୮ ଓ ୨୯ ତାରିଖରେ ପାଗ ଶୁଖିଲା ରହିବ । ତାପାମାତ୍ରାରେ କୌଣସି ପରିବର୍ତନ ହେବାର ସମ୍ଭାବନା ନାହିଁ । ଗତ ୨୪ ଘଂଟା ଭିତରେ ସମ୍ୱଲପୁର, ଝାସୁଗୁଡ଼ା, କେନ୍ଦୁଝର, କନ୍ଧମାଳ ଜିଲାରେ ବର୍ଷା ହୋଇଛି । ବେଶୀ ବର୍ଷା କେନ୍ଦୁଝର ଜିଲା ଚମ୍ପୁଆରେ ହୋଇଛି । ଏଠାରେ ୭.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
