ପୌର ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ, ମତାଧିକାର ସାବ୍ୟସ୍ତ କରିବେ ୪୧ଲକ୍ଷ ଭୋଟର
ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ୨୮ରେ ବିଜ୍ଞପ୍ତି
ମାର୍ଚ୍ଚ ୨ରୁ ୭ ନାମାଙ୍କନ
ପ୍ରଥମ ଥର ପାଇଁ ହେବ ମେୟର ନିର୍ବାଚନ
ଇଭିଏମରେ ପଡିବ ଭୋଟ୍
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନ ଶୁକ୍ରବାର ଦିନ ପୌର ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ପୌର ନିର୍ବାଚନ ମାର୍ଚ୍ଚ ୨୪ରେ ହେବ । ୨୬ ତାରିଖରେ ଭୋଟ ଗଣତି ହେବ । ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।ସେ କହିଛନ୍ତି ଯେ ଆଗାମୀ ୨୮ ତାରିଖରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍ ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍ ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । ପୌରାଂଚଳ ଓ ଏନଏସିର ଅଧ୍ୟକ୍ଷ ପଦବୀ ଓ ମହାନଗରର ମେୟର ପଦବୀ ନିମନ୍ତେ ହଳଦିଆ ବାଲାଟ ପେପର ଏବଂ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ସେହିପରି ଇଭିଏମ୍ ର ଶେଷରେ ନୋଟା ବଟନ୍ ରହିବ । ଏହି ସମସ୍ତ ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ମାର୍ଚ୍ଚ ୯ତାରିଖରେ ନାମାଙ୍କନ ପତ୍ର ଯାଂଚ ଓ ୧୪ତାରିଖ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୨୬ତାରିଖ ସକାଳ ୮ଟାରୁ ଭୋଟଗଣତି ହେବ । ଏପ୍ରିଲ ୭ତାରିଖରେ ପୌର ପରିଷଦ ଓ ଏନଏଏସି ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିମନ୍ତେ ନିର୍ବାଚନ ହେବ ।
ନିର୍ବାଚନରେ ପ୍ରାର୍ଥୀଙ୍କ ନିମନ୍ତେ ଖର୍ଚ୍ଚସୀମା ଓ ପ୍ରଚାର ନିମନ୍ତେ ପୂର୍ବରୁ ନିର୍ବାଚନ କମିଶନ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ୫୦ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୫୦ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୨ଲକ୍ଷ ଟଙ୍କା, ୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନଏଏସି ଓ ପୌର ପରିଷଦର କାଉନସିଲରଙ୍କ ନିର୍ବାଚନୀ ଖର୍ଚ୍ଚ ୭୫ହଜାର ଟଙ୍କା ଓ ଅଧ୍ୟକ୍ଷଙ୍କ ସର୍ବାଧିକ ୩ଲକ୍ଷ ଟଙ୍କା, ୧ଲକ୍ଷରୁ ଊର୍ଦ୍ଧ୍ୱ ପୌର ସଂସ୍ଥାର କାଉନସିଲରଙ୍କ ପାଇଁ ୧ଲକ୍ଷ ଟଙ୍କା ଓ ଅଧ୍ୟକ୍ଷଙ୍କ ପାଇଁ ୫ଲକ୍ଷ ଟଙ୍କା ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିପାରିବେ । ସେହିପରି ୩ଟି ମହାନଗର ନିଗମରେ କର୍ପୋରେଟରମାନେ ୨ଲକ୍ଷ ଟଙ୍କା ଓ ମେୟର ସର୍ବାଧିକ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହାସହିତ କାଉନସିଲ/କର୍ପୋରେଟରମାନେ ସର୍ବାଧିକ ୨ଟି ଗାଡ଼ି ଓ ଅଧ୍ୟକ୍ଷ ପ୍ରାର୍ଥୀ ୪ଟି ଗାଡ଼ି, ମେୟର ପ୍ରାର୍ଥୀ ୬ଟି ଗାଡ଼ି ଓ ରାଜନୀତିକ ଦଳଗୁଡ଼ିକ ୨ଟି ଗାଡ଼ି ପ୍ରଚାରରେ ଉପଯୋଗ କରିପାରିବେ । ସେହିପରି ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୨ଟି ଲେଖାଏଁ ସତ୍ୟପାଠ ଦେବାକୁ ପଡ଼ିବ । ଗୋଟିଏ ସତ୍ୟପାଠରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ କାର୍ଯ୍ୟକଳାପ ଓ ସମ୍ପତି ବିବରଣୀ ଏବଂ ଅନ୍ୟ ସତ୍ୟପାଠରେ ପ୍ରାର୍ଥୀଙ୍କର ଜଣେ ଜୀବିତ ପତ୍ନୀ ଥିବା ଓ ସନ୍ତାନ ସଂଖ୍ୟା ୨ରୁ ଅଧିକ ହୋଇନଥିବ ବୋଲି ଜଣାଇବେ ।
ସେହିପରି ରାଜନୀତିକ ଦଳଗୁଡ଼ିକ ପୌରାଂଚଳ ଓ ଏନଏସିରେ ନିଜର ପ୍ରତିନିଧି ନିମନ୍ତେ ଫର୍ମ ୯ରେ ଓ ମହାନଗର ପାଇଁ ଫର୍ମ ୧୨ରେ ନିଜର ପ୍ରତିନିଧିଙ୍କ ନାଁ ୭ତାରିଖ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିବେ । ସେହିପରି ଅନ୍ୟ ୨ଟି ଫର୍ମରେ ରାଜନୀତିକ ଦଳଗୁଡ଼ିକ ପୌରାଂଚଳ ଓ ଏନଏସି ନିମନ୍ତେ ଦଳୀୟ ପ୍ରାର୍ଥୀ ତାଲିକା ଏବଂ ମହାନଗରର ପ୍ରାର୍ଥୀ ତାଲିକା ମଧ୍ୟ ୬ ତାରିଖ ସନ୍ଧ୍ୟା ସୁଦ୍ଧା ଦାଖଲ କରିବେ । ହାଇକୋର୍ଟରେ ମାମଲା ଥିବାରୁ ପୁରୀ ପୌର ପରିଷଦରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଚଳିତଥର ପ୍ରଥମଥର ପାଇଁ ନବଗଠିତ ଚାନ୍ଦବାଲି, ଧାମନଗର, ବିଜେପୁର ଓ ରେମୁଣା ଏନଏସିରେ ନିର୍ବାଚନ କରାଯିବ । ୩ଟି ମହାନଗର ନିଗମରେ ମୋଟ ୧୪.୨୬ଲକ୍ଷ ଭୋଟର ଏବଂ ବାକି ୧୦୬ଟି ପୌରାଂଚଳରେ ପ୍ରାୟ ୨୭ଲକ୍ଷ ଭୋଟର ରହିଛନ୍ତି । ୧୦୬ଟି ପୌରାଂଚଳରେ ମୋଟ୍ ୩୦୩୦ଟି ବୁଥ୍ ଓ ୩ଟି ମହାନଗର ନିଗମରେ ୧୪୦୭ଟି ବୁଥ୍ ରହିଛି । ୩ଟି ମହାନଗର ନିଗମରେ ମୋଟ ୧୬୮ଟି ୱାର୍ଡ ଓ ୧୦୬ଟି ପୌରାଂଚଳରେ ୧୭୩୧ଟି ୱାର୍ଡରେ ଭୋଟ ଗ୍ରହଣ ହେବ ।
