କ୍ରାସ୍ ହେଲା କୋ-ୱିନ୍ ପୋର୍ଟାଲ ସର୍ଭର
ନୂଆଦିଲ୍ଲୀ : ରାଜ୍ୟରେ ଆସନ୍ତା ମେ’ ପହିଲାରୁ ୧୮ରୁ ୪୪ ବୟସର ସମସ୍ତ ବ୍ୟକ୍ତିଙ୍କୁ ଲାଗିବ କରୋନା ଟିକା। ଟିକା ପାଇଁ ୨୮ ଏପ୍ରିଲ ଅର୍ଥାତ ଆଜିଠୁ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି। ଅପରାହ୍ନ ୪ଟାରୁ ପଞ୍ଚିକରଣ ଆରମ୍ଭ ହୋଇଥିବା ବେଳେ ପୋର୍ଟାଲର ସର୍ଭର କ୍ରାସ୍ ହୋଇଯାଇଥିବା ନେଇ ସୂଚନା ମିଳିଛି। ଏହାସହ ଆରୋଗ୍ୟ ସେତୁ ଏବଂ ଉମଙ୍ଗ ଆପ୍ରେ ଲୋକଙ୍କୁ ସମାନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଛି।
୧୮ରୁ ୪୪ ବୟସର ବ୍ୟକ୍ତି ବିନା ପଞ୍ଜିକରଣରେ ଟିକା ନେଇପାରିବେ ନାହିଁ। ଏହାରି ଭିତରେ ପୋର୍ଟାଲ କ୍ରାସ ହେବା ଲୋକଙ୍କୁ ଚିନ୍ତାରେ ପକାଇଛି। ଏହା ପୂର୍ବରୁ ପଞ୍ଜିକରଣ ପାଇଁ ସରକାର ତାରିଖ ଦେଇଥିଲେ ସତ କିନ୍ତୁ ସମୟ କହିନଥିଲେ। ଏଥିପାଇଁ ଲୋକେ ୨୭ ତାରିଖ ରାତି ୧୨ରୁ କୋଓ୍ବିନ୍, ଆରୋଗ୍ୟ ସେତୁ ଏବଂ ଉମଙ୍ଗ ଆପ୍ରେ ପଞ୍ଜିକରଣ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ପ୍ରକ୍ରିୟା ଆରମ୍ଭ ନହେବା ପୂର୍ବରୁ ପଞ୍ଜିକରଣ କରି ବିଫଳ ହେବା ପରେ ଲୋକେ ସୋସିଆଲ୍ ମିଡିଆରେ ଅଭିଯୋଗ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ସରକାର ପଞ୍ଜିକରଣ ନେଇ ତଥ୍ୟ ଦେଇଥିଲେ। ସରକାରଙ୍କ ସୂଚନା ଅନୁସାରେ ୧୮ ବର୍ଷରୁ ଅଧିକ ଲୋକେ ଯେଉଁମାନେ ଭ୍ୟାକସିନ୍ ନେବାକୁ ଇଚ୍ଛୁକ ସେମାନେ ବୁଧବାର ଅପରାହ୍ଣ ୪ଟାରୁ ପଞ୍ଜିକରଣ କରିପାରିବେ। ଏହା ଦ୍ବାରା ଲୋକ ସରକାରୀ ଏବଂ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ। ବୁଧବାର ସକାଳ ୭.୩୦ରେ ଆରୋଗ୍ୟ ସେତୁ ମାଧ୍ୟମରେ ଅପରାହ୍ଣ ୪ଟାରେ ପଞ୍ଜିକରଣ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ଏହା ପୂର୍ବରୁ ପଞ୍ଜିକରଣ କରିବାକୁ ଚେଷ୍ଟା କରୁଥିବା ଲୋକେ ସୋସିଆଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
