ପଶ୍ଚିମା-ଝଡ଼ ପ୍ରଭାବ : ଆଜି ୬ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ
ଭୁବନେଶ୍ୱର : ଆଫଗାନିସ୍ଥାନ ଏବଂ ପାର୍ଶ୍ୱବର୍ତୀ ଅଂଚଳରେ ପଶ୍ଚିମା-ଝଡ଼ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଜି ଠାରୁ ବର୍ଷା ସମ୍ଭାବନା ରହିଛି । ସେହିପରି ୨୫ରୁ ବର୍ଷା ବଢିବ ଏବଂ କିଛି ଜିଲାରେ ବିଜୁଳି ଘଡଘଡି ସମ୍ଭାବନା ରହିଛି । ଅନ୍ୟପକ୍ଷରେ ୨୫ ରେ ଆଉ ଏକ ପଶ୍ଚିମା ଝଡ଼ ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୪ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ୨୫ରୁ ୨୬ ତାରିଖ ମଧ୍ୟରେ ଉତର ଓଡିଶାର ଜିଲାଗୁଡ଼ିକର କିଛି ସ୍ଥାନରେ ଏବଂ ଦକ୍ଷିଣ ଓଡିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେବେ ଏହି ସମୟ ମଧ୍ୟରେ ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୬ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଅବଶିଷ୍ଟ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ ।
