ପଞ୍ଚାୟତ ନିର୍ବାଚନ! ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ, ୧୩୫୧୪ ବୁଥ୍ରେ ଭୋଟ୍
ଭୁବନେଶ୍ୱର: ଆଜି ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ପୂର୍ବରୁ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇସାରିଥିବା ବେଳେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବ । ୧୩୧ ଜିଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୧୩୫୧୪ ବୁଥରୁ ୨୦୨୭ଟି ବୁଥ ସମ୍ବେଦନଶୀଳ ରହିଥିବା ଜଣାପଡ଼ିଛି । ଏ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜିଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୁଲିସ ବାହିନୀକୁ ଏହି ୨୫ ଜିଲ୍ଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି । ହିଂସା ସହ ବିଭିନ୍ନ କାରଣ ପାଇଁ ମତଦାନ ହୋଇପାରି ନଥିବା ୧୦ ଜିଲାର ୪୯ଟି ସ୍ଥାନରେ ଆଜି ପୁଣି ଥରେ ମତଦାନ ହେଉଛି । ବର୍ତ୍ତମାନ ସୁଦ୍ଧା ୪୯ଟି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ଗୁରୁବାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ଅନ୍ୟପକ୍ଷରେ ଆସନ୍ତା ୨୬, ୨୭, ୨୮ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ଜିଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା କରିବାକୁ ନିଷ୍ପତି ନିଆଯାଇଛି । ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ନନ ଷ୍ଟପ ଗଣନା ହେବା ସହ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଂଚାୟତଗୁଡିକୁ ଟେବୁଲ ଦିଆଯିବ । ଗୋଟିଏ ଟେବୁଲରେ ଜଣେ କାଉଂଟିଙ୍ଗ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଡ କାଉଂଟିଙ୍ଗ ଅଫିସର ଏବଂ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ । କେଉଁ ଟିମ୍ କେଉଁ ଟେବୁଲରେ ବସିବେ ସେ ନେଇ ଗୁଳା ପଡିବ । ଜଣେ ପ୍ରାର୍ଥୀଙ୍କ ଜଣେ ଏଜେଂଟ ରହିବେ । ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ । ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଂଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ । ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ରବୀନ୍ଦ୍ର ନାଥ ସାହୁ । ଗୁରୁବାର ହେବ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।
