ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ! ୨୫ଜିଲାର ୧୩୫୧୪ ବୁଥରେ ମତଦାନ
ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପୂର୍ବରୁ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇସାରିଥିବା ବେଳେ ଗୁରୁବାର ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବ । ୧୩୧ ଜିଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୧୩୫୧୪ ବୁଥରୁ ୨୦୨୭ଟି ବୁଥ ସମ୍ବେଦନଶୀଳ ରହିଥିବା ଜଣାପଡ଼ିଛି । ଏନେଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୁଲିସ ବାହିନୀକୁ ଏହି ୨୫ ଜିଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି ।
ହିଂସା ସହ ବିଭିନ୍ନ କାରଣ ପାଇଁ ମତଦାନ ହୋଇପାରିନଥିବା ୧୦ ଜିଲାର ୪୯ଟି ସ୍ଥାନରେ ଆଜି ପୁଣି ଥରେ ମତଦାନ ହେଉଛି। ବର୍ତ୍ତମାନ ସୁଦ୍ଧା ୪୯ଟି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତାକାଲି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
