ପଞ୍ଚାୟତ ନିର୍ବାଚନ : ୧୫ ବର୍ଷ ପରେ ଭୋଟ୍ ଦେଇ ମନପସନ୍ଦର ପ୍ରାର୍ଥୀ ବାଛିବେ ଯନ୍ତ୍ରୀ ପଞ୍ଚାୟତବାସୀ
ମାଲକାନଗିରି : ଦୀର୍ଘ ୧୫ ବର୍ଷ ପରେ ଭୋଟ୍ ଦେଇ ମନପସନ୍ଦର ପ୍ରାର୍ଥୀ ବାଛିବେ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତବାସୀ। ପୂର୍ବରୁ ଲାଲବାହିନୀ ଭୟରେ ଲୋକମାନେ ଭୋଟ ଦେଉ ନଥିବା ବେଳେ ଚଳିତ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଠାରେ ନିର୍ବାଚନ ହେବ।
୧୦ବର୍ଷ ତଳେ ଗଠନ ହୋଇଥିଲା ଯନ୍ତ୍ରୀ ପଞ୍ଚାୟତ। ତେବେ ନକ୍ସଲଙ୍କ ଭୟ ଯୋଗୁ ଏହି ପଞ୍ଚାୟତ ଅଧୀନରେ ଆସୁଥିବା ଗାଁ ଗୁଡ଼ିକ ତାର ପାଞ୍ଚ ବଷ ପୂର୍ବରୁ ବି ଭୋଟ୍ ଦେଉନଥିଲେ। ଆସନ୍ତା ଗୁରୁବାର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଠାରେ ନିର୍ବାଚନ ହେବ। ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଠାରେ ୧୧ଟି ବୁଥ୍ କରାଯାଇଛି। ଟେଣ୍ଟ ମାରି ଏଠାରେ ଅସ୍ଥାୟୀ ବୁଥ୍ ତିଆରି ହୋଇଛି। ୧୫ ବର୍ଷ ପରେ ଲୋକେ ଭୋଟ୍ ଦେବାକୁ ଯାଉଥିବା ବେଳେ ଉତ୍ସାହିତ ଅଛନ୍ତି।
ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ମଙ୍ଗଳବାର ଶେଷ ହୋଇଛି ପ୍ରଚାର। ଏହି ପର୍ଯ୍ୟାୟରେ ୧୩୧ଟି ଜିଲା ପରିଷଦ ଜୋନ ଅଧୀନରେ ଆସୁଥିବା ୯୭୫ ପଞ୍ଚାୟତରେ ମତଦାନ ହେବ। ଭୋଟ୍ ଦେବେ ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର। ଏଥିପାଇଁ ୧୩ ହଜାର ୫୧୪ଟି ବୁଥ୍ ହୋଇଛି। ଅଧିକାଂଶ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି।
