ଅଭିନବ ପ୍ରଚାର! ଜଉକଣ୍ଢେଇ ଗଢ଼ା ଦେଖାଇ ଭୋଟରଙ୍କୁ ଆକୃଷ୍ଟ କଲେ ପ୍ରାର୍ଥୀ
ବାଲେଶ୍ୱର : ଓଡ଼ିଶାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଜୋରସୋରରେ ଚାଲିଥିବା ବେଳେ ବହୁ ପ୍ରାର୍ଥୀ ଅଭିନବ ଶୈଳୀରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ବାଲେଶ୍ବର ରେମୁଣା ନିର୍ବାଚନ ମଣ୍ଡଳୀର ଭୀମପୁରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ରୀତାଞ୍ଜଳି ପଲାଇ ଓ ସମିତି ସଭ୍ୟ ପ୍ରାର୍ଥୀ ଭଗବାନ ସାହୁ ଅଭିନବ ଶୈଳୀରେ ଭୋଟରଙ୍କୁ ଆକୃଷ୍ଟ କରି ନିଜ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି । ପ୍ରାର୍ଥୀନୀ ଶ୍ରୀମତୀ ପଲାଇ ସୁସଜ୍ଜିତ ଏକ ରିକ୍ସାରେ ବସି ବାଲେଶ୍ବରର ଲୋକକଳା ଜଉକଣ୍ଢେଇର ତିଆରି କରିବାର କୌଶଳ ଓ ପ୍ରଣାଳୀକୁ ସହଜ ସୁନ୍ଦର ଭାବରେ କରି ଦେଖାଉଛନ୍ତି ପଞ୍ଚାୟତର ଛକ ଛକରେ । କଳା ସଂସ୍କୃତିକୁ ବଞ୍ଚି ରଖିବା ସହ ବିକାଶ ପାଇଁ ଅଣ୍ଟା ଭିଡ଼ିବା ସହ ଗାଁର ମହିଳା ମାନଙ୍କ ସଶକ୍ତିକରଣ ପାଇଁ ପ୍ରୟାସ କରିବେ ବୋଲି ଗାଁର ମହିଳା ମାନଙ୍କୁ ବୁଝାଉଥିଲେ ।
ପ୍ରାର୍ଥୀ ଓ ପ୍ରାର୍ଥୀନୀ ସହ ଭୀମପୁରାର ଜଉକଣ୍ଢେଇ ଶିଳ୍ପୀ କେଶୁଦାସ, ଶିଳ୍ପୀ କନକ ଲତା ଦାସ ଏବଂ ଲତିଫା ବେଗମ୍, ସୁକାନ୍ତି ସାହୁ, କବିତା ଦେ, ସୁମତି ସିଂ, ଅନୀତା ସିଂ ପ୍ରମୁଖ ବହୁ ଜଉକଣ୍ଢେଇ ଶିଳ୍ପୀ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଥିଲେ । ଏହି ଅଭିନବ ପ୍ରଚାର ପାଇଁ ପ୍ରତି ଛକରେ ବହୁ ମହିଳା ଆକୃଷ୍ଟ ହୋଇ ଆଗ୍ରହ ସହ ପ୍ରାର୍ଥୀନୀ କଥା ଶୁଣୁଥିଲେ । ଅପରାହ୍ନ ୩ ଟାରେ ଭୀମପୁରାର ମହାଦେବ ମନ୍ଦିର ଛକରୁ ଆରମ୍ଭ ହୋଇ ହନୁମାନ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର, କ୍ଲବ ଘର, ମଡାଗଡିଆ, ପୋଖରୀସାହି ଇତ୍ୟାଦି ପ୍ରମୁଖ ଛକରେ ଜଉକଣ୍ଢେଇ କର୍ମଶାଳା ମାଧ୍ୟମରେ ପ୍ରଚାର ଜୋର ଧରିଛି । ଏମାନଙ୍କ ସହ ପ୍ରାର୍ଥୀନୀଙ୍କ ବହୁ ପ୍ରଶଂସକ ଓ କର୍ମକର୍ତ୍ତା ଜୟକୃଷ୍ଣ ସାହୁ, ଚନ୍ଦନ ଆଚାର୍ଯ୍ୟ, ସମସ୍ତ ଉଆର୍ଡ ମେମ୍ବର ସହ ଗଣେଶ ଚନ୍ଦ୍ର ବେହେରା, ବିଜୟ ପଲେଇ, ଚନ୍ଦ୍ରଶେଖର ଦାସ, ଲୋକନାଥ ସେନାପତି, ଅମ୍ଳାନ ଆର୍ଯ୍ୟ ରାଜସିଂ, ସୁଶାନ୍ତ ସେନାପତି, ପ୍ରଶାନ୍ତ ସିଂ ଓ ୩୯ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶୋଭନା ମହାନ୍ତି ଯୋଗ ଦେଇଥିଲେ ।
