ତୃତୀୟ ଲହର ଶେଷ! ଦିନକରେ ଆଉ ୧୬,୦୫୧ ସଂକ୍ରମିତ ଓ ୨୦୬ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ପ୍ରକୋପ ପୂର୍ବାପେକ୍ଷା କମ୍ ହେବାରେ ଲାଗିଛି । ସେହିପରି ମୃତ୍ୟୁ ମାମଲାରେ ମଧ୍ୟ ହ୍ରାସ ଘଟିଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୫୧ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୬ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୯୦୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୨୨,୦୫୬ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧.୯୩ ପ୍ରତିଶତ ରହିଛି । ଗତକାଲି ଦେଶରେ ସଂକ୍ରମଣ ଦର ୧.୬୮ ପ୍ରତିଶତ ଥିଲା ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୮ ଲକ୍ଷ ୩୮ ହଜାର ୫୨୪ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୧ ଲକ୍ଷ ୨୪ ହଜାର ୨୮୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨ ଲକ୍ଷ ୨ ହଜାର ୧୩୧ କରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୨ ହଜାର ୧୦୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୨୦ ପର୍ଯ୍ୟନ୍ତ ସାରା ଦେଶରେ ୧୭୫ କୋଟି ୪୬ ଲକ୍ଷ ୨୫ ହଜାର ୭୧୦ କରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ଲକ୍ଷ ୭୦୬ କରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୬ କୋଟି ୧ ଲକ୍ଷ ୪୬ ହଜାର ୩୩୩ କରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୩୧ ହଜାର ୮୭ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତରୁ କମ୍ ରହିଛି ।
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୨୦ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୮ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୦.୪୭ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ୩୫ତମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
