୫ଟି ମାଛଧରା ଡଙ୍ଗା ଜବତ ସହ ୩୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ
ଇସ୍ଲାମାବାଦ୍: ପାକିସ୍ତାନର ଜଳରାଶିରେ ମାଛ ମାରୁଥିବା ଅଭିଯୋଗ କରି ପାକିସ୍ତାନୀ ସାମୁଦ୍ରିକ କର୍ତ୍ତୃପକ୍ଷମାନେ ୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ସେମାନଙ୍କର ୫ଟି ମାଛଧରା ଡଙ୍ଗା ମଧ୍ୟ ଜବତ୍ କରିଥିବା କଥା ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
‘ପାକିସ୍ତାନ ମେରିଟାଇମ୍ ସିକ୍ୟୁରିଟି ଏଜେନ୍ସି’ (ପିଏମ୍ଏସ୍ଏ) କହିଛି ଯେ, ‘ପାକିସ୍ତାନ୍ ଏକ୍ସ୍ଲୁସିଭ୍ ଇକୋନୋମିକ୍ ଜୋନ୍’ରେ (ଇଇଜେଡ୍) ପାଟ୍ରୋଲିଙ୍ଗ୍ କରିବା ବେଳେ ଶୁକ୍ରବାର ଦିନ ଅନୁପ୍ରବେଶକାରୀ ମାଛଧରା ଡଙ୍ଗାଗୁଡ଼ିକୁ ଅଟକା ଯାଇଥିଲା। ‘ପିଏମ୍ଏସ୍ଏ’ କହିଛି ଯେ, ତା’ର ଗୋଟିଏ ଜାହାଜ ୫ଟି ଭାରତୀୟ ମାଛଧରା ଡଙ୍ଗା ଜବତ୍ କରିବା ସହ ୩୧ଜଣ ନାବିକଙ୍କୁ ଗିରଫ କରିଛି। ‘ପାକିସ୍ତାନୀ ଲ’ ଏବଂ ‘ୟୁଏନ୍ କନ୍ଭେନ୍ସନ୍ ଅନ୍ ଲ’ ଅଫ୍ ଦି ସି’ ଅନୁସାରେ, ଅଧିକ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଡଙ୍ଗାଗୁଡ଼ିକୁ ଜାହାଜରେ ବାନ୍ଧି କରାଚୀକୁ ନିଆଯାଇଛି।
ସମୁଦ୍ରର କେତେକ ସ୍ଥାନରେ ଠିକ୍ ରୂପେ ସୀମାନ୍ତ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ସାମୁଦ୍ରିକ ସୀମା ଉଲ୍ଲଂଘନ ଅଭିଯୋଗରେ ପାକିସ୍ତାନ ଓ ଭାରତ ନିୟମିତ ଭାବେ ଅପରପକ୍ଷର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଛନ୍ତି। ଅପରର ଜଳରାଶିରୁ ମାଛ ମାରିବା ଅଭିଯୋଗରେ ଗିରଫ ହେଉଥିବା ପାକିସ୍ତାନ ଓ ଭାରତର ମତ୍ସ୍ୟଜୀବୀମାନଙ୍କୁ କରାଦଣ୍ଡାଦେଶ ହେଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ଓ ପାକିସ୍ତାନ କରିଥିବା କଏଦୀମାନଙ୍କ ତାଲିକା ବିନିମୟରୁ ଜଣାପଡ଼ି ଯେ, ୫୧ଜଣ ସାଧାରଣ ନାଗରିକଙ୍କ ଓ ୫୭୭ଜଣ ମତ୍ସ୍ୟଜୀବୀଙ୍କ ସମେତ ଅନ୍ୟୂନ ୬୨୮ଜଣ ଭାରତୀୟ କଏଦୀ ପାକିସ୍ତାନର ଜେଲ୍ରେ ଅଛନ୍ତି। ଭାରତ ଦେଇଥିବା ତାଲିକା ଅନୁସାରେ, ୨୮୨ଜଣ ସାଧାରଣ ନାଗରିକ ଏବଂ ୭୩ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୫୫ଜଣ ପାକିସ୍ତାନୀ କଏଦୀ ଭାରତର ଜେଲ୍ରେ ଅଛନ୍ତି।
