ପଞ୍ଚାୟତ ନିର୍ବାଚନ! ୩ୟ ପର୍ଯ୍ୟାୟରେ ୬୨%ରୁ ଅଧିକ ମତଦାନ
ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ୩ୟ ପର୍ଯ୍ୟାୟ ପାଇଁ ମତଦାନ ପ୍ରକ୍ରିୟା ସରିଛି। ଅପରାହ୍ନ ୧ଟା ସୁଦ୍ଧା ୬୨ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲାକୁ ଛାଡ଼ି ଅନ୍ୟ ପ୍ରାୟ ସବୁ ଜିଲାରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ହେଉଛି। ଯାଜପୁର ଜିଲାର କିଛି ବୁଥରେ ନିର୍ବାଚନ ବାଧାପ୍ରାପ୍ତ ହୋଇଛି।
ରବିବାର ସକାଳ ୭ଟାରୁ ମତଦାତାମାନେ ଭୋଟ ଦେଇଛନ୍ତି। ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ମତଦାନ ଉପରେ ୧୬୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟିର ନଜର ରହିବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୪୫ଟି ବୁଥରେ ଭୋଟିଂ ହୋଇପାରି ନଥିଲା। କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି।
ସୂଚନା ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନର ୨ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୭.୨% ମତଦାତା ମତଦାନ କରିଛନ୍ତି। ୨୦୧୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬.୬୫% ମତଦାନ ହୋଇଥିଲା। ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୯୬% ମତଦାନ ହୋଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଂଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ମତଦାନ ହୋଇଛି । ଗତ ୧୬ ଓ ୧୮ ତାରିଖ ଦିନ ଭୋଟିଂ ହୋଇପାରି ନ ଥିବା ବୁଥ ଗୁଡ଼ିକରେ ଆସନ୍ତା ୨୩ ତାରିଖରେ ଭୋଟ ଗହଣ କରାଯିବ।
