ଯାଜପୁରରେ ମତଦାନ ବେଳେ ବିଶୃଙ୍ଖଳା, ପୁଣି ଆକ୍ରମଣର ଶିକାର ହେଲେ ୩ ସାମ୍ବାଦିକ
ଯାଜପୁର : ବିଞ୍ଝାରପୁରରେ ନିର୍ବାଚନୀ ହିଂସାକାଣ୍ଡର ଖବର ମିଳିଛି । ବାଛୋଳ ପଞ୍ଚାୟତର ବାମଦେବପୁର ଗାଁର ୨ ନମ୍ବର ବୁଥ ଜବରଦଖଲ ଅଭିଯୋଗ ହୋଇଛି । ସେହିପରି ଖବର ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ୩ ଜଣ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗାଡ଼ି ଭଙ୍ଗାରୁଜା କରାଯିବା ସହ ଜଣେ ସାମ୍ବାଦିକଙ୍କୁ ଅପହରଣ ଅଭିଯୋଗ ହୋଇଛି ।
କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇଯାଇଥିବାର ସୂଚନା ମିଳିଛି। ଦୁର୍ବୃତ୍ତମାନେ ଭୋଟ ବାକ୍ସଟିକୁ ପୋଖରୀରେ ଫିଙ୍ଗି ପଳାଇଥିବା ଜଣାଯାଇଛି। ଖବର ପାଇ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଉକ୍ତ ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାପରେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଛନ୍ତି। ସୂଚନା ଯେ, ଏଠାରେ ମତଦାନ କରାଇ ନ ଦେବା ଲାଗି ଗ୍ରାମବାସୀମାନେ ଚାହୁଁଛନ୍ତି।
