ବଲିଉଡର ପପୁଲାର ହିରୋଇନ୍ ପାଲଟିଗଲେଣି ମୃନାଲ୍ ଠାକୁର
ମୁମ୍ବାଇ : ପ୍ରଥମେ ଟେଲିଭିଜନ ଓ ଏବେ ସିନେମା ଦୁନିଆର ରାଣୀ ହୋଇ ଗଲେଣି ବଲିଉଡ ଆକ୍ଟ୍ରେସ୍ ମୃନାଲ୍ ଠାକୁର । ଟେଲିଭିଜନ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରି ଏବେ ସେ ଜଣେ ବଲିଉଡର ପପୁଲାର ହିରୋଇନ୍ । ସକ୍ସସେସ୍ ପରେ ସକ୍ସସେସ୍ ପାଇ ଚାଲିଛନ୍ତି ମୃନାଲ୍ । ଆଉ ତାଙ୍କୁ ମିଳୁଛି ବଲିଉଡର ଅନେକ ସିନେମାର ବ୍ୟାକ୍ ଟୁବ୍ୟାକ୍ ଅଫର । ଗୋଟିଏ କି ଦୁଇଟି ନୁହେଁ ତାଙ୍କ ହାତରେ ଏବେ ରହିଛି ୫ଟି ଫିଲ୍ମର ଅଫର । କିଛି ମୁଭିର ସେ ସୁଟିଂ ଆରମ୍ଭ କରି ସାରିଥିବା ବେଳେ ଆଉ କିଛି ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । କେବଳ ବଲିଉଡ ନୁହେଁ ମୃନାଲ୍ ନିକଟରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ବି ଡେବ୍ୟୁ କରିବାକୁ ଯାଉଛନ୍ତି । ରିଲିଜ୍ ଅପେକ୍ଷାରେ ରହିଛି ତାଙ୍କ ଅଭିନୀତ ତେଲୁଗୁ ମୁଭି ‘ହାନୁ ରାଘବାପୁଡି’ ।ଏହା ସହିତ ଆଗକୁ ବଲିଉଡ ମୁଭି ଥଡମ୍, ଜର୍ସିରେ ନଜର ଆସିବେ ମୃନାଲ୍ ।
ତେବେ ମୃନାଲଙ୍କ କଥା କହିବାକୁ ଗଲେ ପ୍ରଥମେ ଟିଭି ଇଣ୍ଡଷ୍ଟ୍ରିରୁ ସେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ଆକ୍ଟର ମୋହିତ୍ ସେହଗଲଙ୍କ ଅପୋଜିଟରେ ତାଙ୍କୁ ଦେଖିବାକୁ ମିଳିଥିଲା ସିରିୟଲ୍ ‘ଖାମୋସିଆଁ’ରେ । ନିଜ ପ୍ରଥମ ଡେବ୍ୟୁ ସିରିୟଲରେ ଭଲ ପ୍ରଦର୍ଶନ ପରେ ସେ ନଜର ଆସିଥିଲେ ଆଉ ଏକ ଟିଭି ସିରିଜ୍ରେ ଯାହାର ନାଁ ଥିଲା ‘ହର୍ ୟୁଗ୍ ମେଁ ଆୟେଗା ଏକ୍ ଅର୍ଜୁନ୍’ । ପରେ ପରେ ତାଙ୍କୁ ମିଳିଥିଲା ବଡ଼ ବ୍ରେକ୍ । ପପୁଲାର ସିରିୟଲ ‘କୁମ୍ କୁମ୍ ଭାଗ୍ୟ’ରେ ନଜର ଆସିଥିଲେ ମୃନାଲ୍ । ଏଥିରେ ସେ ବୁଲ୍ବୁଲ୍ ଅରୋରା ଭାବରେ ଘରେ ଘରେ ପରିଚିତ ହୋଇଥିଲେ । ଆଉ ତା ପରେ ଟିଭି ଦୁନିଆରୁ ବ୍ରେକ୍ ନେଇଥିଲେ ମୃନାଲ୍ । ଏଣ୍ଟ୍ରି କରିଥିଲେ ସିନେମା ଜଗତରେ । ପ୍ରଥମେ ମରାଠି ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ ମୃନାଲ୍ । ଦୁଇଟି ମରାଠି ଫିଲ୍ମରେ ଅଭିନୟ କରିବା ପରେ ଏକ ଇଣ୍ଟରନେସନାଲ୍ ଫିଲ୍ମ କରି ସେ ଅନେକ ଭଲପାଇବା ସାଉଁଟିଥିଲେ ।
ପରେ ପରେ ୨୦୧୮ରେ ତାଙ୍କୁ ମିଳିଥିଲା ବଡ଼ ଅଫର । ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ଫିଲ୍ମ ‘ସୁପର ୩୦’ରେ ନଜର ଆସିଥିଲେ ମୃନାଲ୍ । ଆଉ ସେହି ଗୋଟିଏ ଫିଲ୍ମ ପରେ ହିଁ ବଦଳି ଯାଇଥିଲା ମୃନାଲ୍ଙ୍କ ଅଭିନୟ କ୍ୟାରିୟର୍ । ହ୍ରିତିକ୍ଙ୍କ ସହ ତାଙ୍କ କେମେଷ୍ଟ୍ରି ଦର୍ଶକ ପସନ୍ଦ କରିଥିଲେ ଆଉ ତାଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ନାମୀ ଦାମୀ ଅଭିନେତାଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ । ନିକଟରେ ସେ ବଲିଉଡ ଅଭିନେତା କାର୍ତ୍ତିକ୍ ଆରିୟନଙ୍କ ସହ ଫିଲ୍ମ ‘ଧମାକା’ରେ ନଜର ଆସିଥିଲେ । ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକଙ୍କର ଅନେକ ଭଲପାଇବା ସାଉଁଟିଛି । ତେବେ ବର୍ତ୍ତମାନ ମୃନାଲଙ୍କ ହାତରେ ଏକା ସହ ୫ଟି ଫିଲ୍ମ ରହିଛି । ଏହା ବ୍ୟତୀତ ଖୁବଶୀଘ୍ର ସେ ସାହିଦ କପୁରଙ୍କ ସହ ଫିଲ୍ମ ‘ଜର୍ସି’ରେ ନଜର ଆସିବେ ।
