ବିଶ୍ୱରେ କମୁଛି ସଂକ୍ରମଣ : ଓମିକ୍ରନର ସବ-ଭାରିଆଣ୍ଟକୁ ନେଇ ସତର୍କ କଲା ‘ହୁ’
ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ କରୋନା ଓମିକ୍ରନ ଭାରିଏଣ୍ଟ ଜନିତ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏଥିଯୋଗୁ ବିଭିନ୍ନ ରାଷ୍ଟ୍ର ଲଗାଇଥିବା କଟକଣାକୁ ପ୍ରତ୍ୟାହାର କରୁଛନ୍ତି। କରୋନା ବିପଦ ଏଯାଏ ଟଳିନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ସତର୍କ କରାଯାଇଛି। ଓମିକ୍ରନର ଗୋଟିଏ ସବ ଭାରିଆଣ୍ଟ ପୁଣି ବିଶ୍ୱରେ ସଂକ୍ରମଣ ବୃଦ୍ଧି କରିପାରେ ବୋଲି ହୁ’ ଆଶଙ୍କା ପ୍ରକାଶ କରିଛି। ଭାଇରସ ଏବେ ବି ସକ୍ରିୟ ରହିଛି ଏବଂ ଓମିକ୍ରନର ଏକାଧିକ ସବ ଭାରିଏଣ୍ଟ ସାମ୍ନାକୁ ଆସିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ ୧୯ ବୈଷୟିକ ମୁଖ୍ୟ ମାରିଆ ଭାନ କେରଖୋଭେ କହିଛନ୍ତି ।
ସେ ଆହୁରି କହିଛନ୍ତି, ଓମିକ୍ରନରେ ସଂକ୍ରମଣ ହେଲେ ମଧ୍ୟମଧରଣର ଲକ୍ଷଣ ଦେଖାଯାଉଛି। ଏହା ଡେଲ୍ଟା ଭଳି ଅଧିକ ଘାତକ ହେଉନାହିଁ। ତଥାପି ଓମିକ୍ରନରେ ଆକ୍ରାନ୍ତ ହେଉଥିବା ଲୋକମାନେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏହା ସାଧାରଣ ଥଣ୍ଡା କିମ୍ବା ଇନଫ୍ଲୁଏଞ୍ଜା ନୁହେଁ। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ଗତ ସପ୍ତାହରେ ସମଗ୍ର ବିଶ୍ୱରେ ୭୫ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
ଆମେ ବର୍ତ୍ତମାନ ବିଏ.୧, ବିଏ ୧.୧, ବିଏ.୨ ଓ ବିଏ.୩ ଭାରିଆଣ୍ଟ ବିଷୟରେ ଜାଣିବାକୁ ପାଇଛୁ। ଓମିକ୍ରନ ଯେଉଁଭଳି ଭାବେ ମାରାତ୍ମକ ଡେଲ୍ଟା ଭାରିଏଣ୍ଟର ସ୍ଥାନ ସମଗ୍ର ବିଶ୍ୱରେ ନେଲା, ତାହା ଅଦ୍ଭୂତ ଘଟଣା। ଏହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଓମିକ୍ରନର ବିଏ.୧ ଭାରିଆଣ୍ଟରେ ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଥିଲେ। କିଛି ସ୍ଥାନରେ ବିଏ.୨ ଭାରିଏଣ୍ଟ ମଧ୍ୟ ସଂକ୍ରମଣ ବୃଦ୍ଧି କରିଛି।ବିଏ.୧ ଅପେକ୍ଷା ବିଏ.୨ଭାରିଆଣ୍ଟ ଅଧିକ ସଂକ୍ରାମକ। ତେବେ ବିଏ.୧ ଭାରିଆଣ୍ଟ ଅପେକ୍ଷା ବିଏ.୨ କେତେ ଘାତକ ସେକଥା ଏଯାଏ ଜଣାପଡ଼ିନି। ଏହା ଉପରେ ଅଧିକ ଗବେଷଣା କରାଯାଉଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସମଗ୍ର ବିଶ୍ୱରେ ବିଏ.୨ ଭାରିଆଣ୍ଟ କାୟା ବିସ୍ତାର କରୁଛି। ପ୍ରତି ୫ ଜଣରୁ ଜଣେ ବ୍ୟକ୍ତି ଏହି ସବ ଭାରିଆଣ୍ଟରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ଏହା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ରହିଛି।
