ରାଜ୍ୟରେ ୪ ଜିଲାର ୨୫ ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ
ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଦେଇଛନ୍ତି ଯେ, ଶୁକ୍ରବାର ଏହି ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ଭୋଟ ଗ୍ରହଣ । ସେଥିରୁ ୩ ହଜାର ୬୫ଟି ବୁଥ୍ ସମ୍ବେଦନଶୀଳ ବୋଲି କମିଶନର କହିଛନ୍ତି । ସେହିପରି ୪ ଟି ଜିଲାରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଯାଜପୁର ଜିଲାରେ ୧୧, ପୁରୀରେ ୫, ଢେଙ୍କାନାଳରେ ୪, ଭଦ୍ରକରେ ୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ରାଜ୍ୟ ନିର୍ବାଚନ କମିଶନ ପୁନଃ ମତଦାନ ନେଇ ତର୍ଜମା କରୁଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି କମିଶନ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ଗତ କାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଶୁକ୍ରାବର ଭୋଟ ଗ୍ରହଣ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟନିର୍ବାଚନ କମିଶନ। ସେହିପରି ୨ୟ ପର୍ଯ୍ୟାୟ ପାଇଁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଞ୍ଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି। ଜିଲା ପରିଷଦ ଅଧ୍ୟକ୍ଷ , ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ନିର୍ବାଚନ ବେଳେ ରାଜନୈତିକ ଦଳ ମାନେ ସେମାନଙ୍କ ପ୍ରାଧିକୃତ ପ୍ରତିନିଧିଙ୍କ ନିଯୁକ୍ତି କରି ସେମାନଙ୍କ ନାମ କମିଶନଙ୍କୁ ଦେବେ। ଭୋଟିଂ ବେଳେ ବିଭିନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ। ଭୋଟିଂ ସମୟ ସକାଳ ୭ଟା ରୁ ଅପରାହ୍ନ ୧ଟା ଯାଏଁ ଧାର୍ଯ୍ୟ କରାଯାଇଛି। ଏହି ସମୟ ଭିତରେ ଯେଉଁମାନେ ବୁଥ ଗେଟ ଭିତରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯିବ । ଲାଇନରେ ଠିଆ ହୋଇ ଭୋଟ ଦେବେ।
