ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ କମୁନି ମୃତ୍ୟୁ ହାର । ଆଜି ବି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬ ଜଣଙ୍କ ପ୍ରାଣ ନେଇଛି କରୋନା ଭୂତାଣୁ । ଫଳରେ ରାଜ୍ୟର କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।
କରୋନା ମୃତକଙ୍କ ମଧ୍ୟରେ ସର୍ବାଧିକ ମୃତକ ଖୋର୍ଦ୍ଧା ଜିଲାର ରହିଥିବା ଜଣାପଡ଼ିଛି । ଖୋର୍ଦ୍ଧାରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଓ କଟକରୁ ୨ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା । କେବଳ ବଲାଙ୍ଗୀରରୁ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମିତ କମ୍ ଚିହ୍ନଟ ହେଉଛନ୍ତି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ତଳେ ଆସୁଥିବା ଦେଖିବାକୁ ମିଳୁଛି ।
