ବାଲେଶ୍ୱର ୪ନଂ ଜୋନ: ଇତିହାସ ପୁନରାବୃତି ଲକ୍ଷ୍ୟରେ ବିଜେଡି
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ ଖଇରା ଜୋନରେ ଚଳିତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାକୁ ଓହ୍ଳାଇଛନ୍ତି । ଏଥି ମଧ୍ୟରେ ବିଜେଡିରୁ ରଶ୍ମିତା ମହାପାତ୍ର, ଭାଜପାରୁ ରାଜେଶ କୁମାର ରାଉତ, କଂଗ୍ରେସରୁ ପ୍ରଶାନ୍ତ କୁମାର ପାତ୍ର, ସିପିଏମରୁ ପ୍ରଶାନ୍ତ କୁମାର ପରିଡା, ବିଏସପିରୁ ରଞ୍ଜିତ କୁମାର ଦାସ ଲଢେଇରେ ସାମିଲ ହୋଇଛନ୍ତି ।
ଉକ୍ତ ଜୋନର ପୂର୍ବ ଇତିହାସକୁ ଦେଖିଲେ ୧୯୯୭ରେ ଜଗତାନନ୍ଦ ମହାପାତ୍ର, ୨୦୦୨ରେ ଜୟନ୍ତୀ ମହଲା, ୨୦୦୭ରେ ରାଧାକାନ୍ତ ପାତ୍ର, ୨୦୧୨ରେ ଭାସ୍କର ଦାସ ଏବଂ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଲୋପାମୁଦ୍ରା ଜିଲା ପରିଷଦ ସଭ୍ୟା ଭାବେ କ୍ଷମତାରେ ରହିଛନ୍ତି । ୧୯୯୭ର ବିଜୟୀ ଶ୍ରୀ ମହାପାତ୍ର ସିପିଏମ ଦଳର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜୟୀ ହୋଇଥିବା ସମସ୍ତ ଜିଲା ପରିଷଦ ସଭ୍ୟ ବିଜେଡି ର । ଗତ ୨୦୧୭ ନିର୍ବାଚନରେ ବିଜେଡର ଶ୍ରୀମତୀ ଧର ଭାଜପାର ତପସ୍ୱିନୀ ରାଉତଙ୍କୁ ୪ହଜାରରୁ ଉର୍ଦ୍ଧ ଭୋଟରେ ପରାସ୍ତ କରିଥିଲେ । ଏଣୁ ଚଳିତ ନିର୍ବାଚନ ରେ ବିଜେଡି ଇତିହାସ ର ପୁନରାବୃତ୍ତି ଘଟାଇବା ଲକ୍ଷରେ ପ୍ରଚାର କୁ ସେହିଭଳି ଢଙ୍ଗରେ କୌଶଳପୁର୍ଣ୍ଣ ଭାବରେ ପ୍ରସ୍ତୁତି ଚଳାଇଛନ୍ତି । ବିଜେଡର ରଶ୍ମିତା ଏକମାତ୍ର ମହିଳା ପ୍ରାର୍ଥୀନୀ ହୋଇଥିବାରରୁ ଏବଂ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ମହିଳା ସଙ୍ଗଠନର ସଭାପତି ରହିଥିବାରୁ ଏହି ଜୋନରେ ଥିବା ହାରାହାରି ୯୩୧ ସ୍ୱୟଂ ସହାୟିକା ଗୋଷ୍ଠୀର ୮୦ଭାଗ ଭୋଟ ତାଙ୍କ ସପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଛି । ତାଙ୍କ ସପକ୍ଷରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ପ୍ରଚାର କରୁଥିବା ବେଳେ ୩ଦିନ ତଳେ ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ଖଇରା ଅଞ୍ଚଳରେ ଜଣେ ଟାଣୁଆ ଯୁବ ନେତା ଭାବେ ପରିଚିତ ରାଧାକାନ୍ତ ପାତ୍ର ତାଙ୍କ ସମର୍ଥନରେ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଡୁଙ୍ଗୁରା, ଅମରିଆ, ନହଙ୍ଗ ଓ ଗୋଳିହା ଭଳି ପଞ୍ଚାୟତରେ ଦଳ ଭିତରେ ଅସନ୍ତୋଷ ତାଙ୍କ ନିଶ୍ଚିତ ଯିତିବାରେ ବାଧା ସୃଷ୍ଟି କରିଛି । ଚଳିତ ବର୍ଷ ଭାଜପା ଜଣେ ଯୁବନେତା ତଥା ମଣ୍ଡଳ ସଭାପତି ରାଜେଶ କୁମାର ରାଉତଙ୍କୁ ପ୍ରାର୍ଥୀ କରି ବିଜେଡି ବିଜୟ ଧାରାରେ ବ୍ରେକ ଲଗାଇବାକୁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ପୁଅ ନିଳମାଧନ ତାଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଯୁବ ତଥା ନୂତନ ଭାବେ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ଭୋଟର ଙ୍କ ସମର୍ଥନ ତାଙ୍କୁ ମିଳିବାର ସମ୍ଭାବନା ଅଛି । କଂଗ୍ରେସ ର ପ୍ରଶାନ୍ତ ପାତ୍ର ଙ୍କ ପାଇଁ ପୁର୍ବତନ ଏମ୍ପି ଅନନ୍ତ ପ୍ରସାଦ ସେଠୀ ଓ ସିପିଏମ ର ପ୍ରଶାନ୍ତ ପରିଡା ଙ୍କ ପାଇଁ ପ୍ରାକ୍ତନ ଜିଲା ପରିଷଦ ସଦସ୍ୟ ଜଗତାନନ୍ଦ ମହାପାତ୍ର ସଭା ଓ ରାଲି କରି ନିଜ ଦଳର ଭୋଟ ହାର ବଢାଇବା କୁ ଆଶାବାନ୍ଧିଛନ୍ତି । ପ୍ରଶାନ୍ତଙ୍କ ପାଇ ଏହା ବ୍ୟତିତ ବିଏସପିର ରଞ୍ଜିତ ଦାସ ଦଳର ଉପସ୍ଥିତ ଜାହିର କରିବା ଲକ୍ଷରେ ପ୍ରଚାର ଚଳାଇଛନ୍ତି ।
