ମୁଣ୍ଡରକ୍ଷେତ ଗ୍ରାମରୁ ଆସିଲା ରୋଚକ ଦୃଶ୍ୟ ! ପରୀକ୍ଷା ଦେଲେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ, ପାସ୍ ହେଲେ ଭୋଟ୍ ଦେବେ ଗ୍ରାମବାସୀ
ସୁନ୍ଦରଗଡ : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାରର ନୂଆ ନୂଆ ଘଟଣାମାନ
ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ହେମଗିରି ବ୍ଲକ୍ ମୁଣ୍ଡରକ୍ଷେତ ଗ୍ରାମରୁ ଆସିଛି ଏଭଳି ରୋଚକ ଦୃଶ୍ୟ । ଗ୍ରାମରେ ସରପଞ୍ଚ ଓ ସମିତିସଭ୍ୟ ହେବା ପାଇଁ ହେଲେ ଗାଁ କ୍ଲବରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡିଛି । ଲିଖିତ ପରୀକ୍ଷା ଦେଇ ପାସ୍ ହେଲେ ଯାଇ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ଗ୍ରାମବାସୀ । ଏଭଳି ସର୍ତ୍ତ ରଖି ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପରୀକ୍ଷା କରାଇଛନ୍ତି ଗାଁ ଲୋକେ।
ଏହି ପଞ୍ଚାୟତରେ ୫ ଜଣ ସରପଞ୍ଚ ଓ ୯ ଜଣ ସମିତିସଭ୍ୟ ପ୍ରାର୍ଥୀ ରହିଥିବା ବେଳେ, ଜଣେ ସରପଞ୍ଚ ପ୍ରାର୍ଥୀ ଓ ୫ ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କରାଇଛି ମୁଣ୍ଡରକ୍ଷତ ଗାଁର ଓଁ ଶିବାୟ କ୍ଲବ । ସମିତି ସଭ୍ୟର କାର୍ଯ୍ୟ କଣ, ଆଗାମୀ ୫ ବର୍ଷର ଲକ୍ଷ୍ୟ କଣ, ପ୍ରାର୍ଥୀ ହେବାର କାରଣ, ଆଦର୍ଶ ପଂଚାୟତର ରୂପରେଖ କଣ, ଗତ ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ଯ୍ୟକଳାପ ବିଷୟରେ, ପଂଚାୟତରେ ଲୋକେ ସରକାରୀ ଯୋଜନାର ଲାଭ ପାଇଛନ୍ତି କି ଯଦି ହଁ ତେବେ ସେଥିମଧ୍ୟରୁ ୧୦ଟି ଯୋଜନା ଉଲ୍ଲେଖ କରିବା ଭଳି ୬ଟି ପ୍ରଶ୍ନର ଉତ୍ତର ଲିଖିତ ଭାବେ ଦେବାକୁ ପଡିଛି ସମସ୍ତ ପ୍ରାର୍ଥୀଙ୍କୁ । ପରୀକ୍ଷାର ଉତ୍ତର ଗାଁ ଲୋକଙ୍କ ଆଗରେ ପଢ଼ାଯାଇଥିଲା । ସୂଚନା ଯେ, କିଛି ଦିନ ପୂର୍ବରୁ କୁତ୍ରା ବ୍ଲକ୍ ମାଲୁପଡା ଗାଁରେ ସରପଞ୍ଚ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା କରାଇବା ପରେ ହେମଗିରି ମୁଣ୍ଡରକ୍ଷତ ଗାଁରୁ ସମାନ ଦୃଶ୍ୟ ଆସିବା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
