ପୁଣି କରୋନା ମାମଲାରେ ସାମାନ୍ୟ ବୃଦ୍ଧି! ଦେଶରେ ଆଉ ୩୦,୭୫୭ ସଂକ୍ରମିତ ଓ ୫୪୧ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ମାମଲାରେ ଆଜି ବୃଦ୍ଧି ଘଟିଛି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୭୫୭ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪୧ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭,୫୩୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୩୭,୩୨୨ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୨.୬୧ ପ୍ରତିଶତ ରହିଛି । ଗତକାଲି ସଂକ୍ରମଣ ଦର ୨.୪୫ ପ୍ରତିଶତ ଥିଲା । ଗତକାଲି ଦେଶରେ ୩୦ ହଜାର ୬୧୫ ମାମଲା ଚିହ୍ନଟ ହୋଇଥିଲା ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୭ ଲକ୍ଷ ୫୪ ହଜାର ୩୧୫ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୧୯ ଲକ୍ଷ ୧୦ ହଜାର ୯୮୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୩୨ ହଜାର ୯୧୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୦ ହଜାର ୪୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆଜି ମଧ୍ୟ କରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୧୬ ପର୍ଯ୍ୟନ୍ତ ସାରା ଦେଶରେ ୧୭୪ କୋଟି ୨୪ ଲକ୍ଷ ୩୬ ହଜାର ୨୮୮ କରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ଲକ୍ଷ ୭୫ ହଜାର ୯୫୧ କରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୫ କୋଟି ୫୫ ଲକ୍ଷ ୩୨ ହଜାର ୪୬୦ କରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୭୯ ହଜାର ୭୦୫ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତରୁ ଅଧିକ ରହିଛି ।
