ପରଲୋକରେ ବିଶିଷ୍ଟ କବି ତଥା ସାହିତ୍ୟ ସାଧକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ
ଭୁବନେଶ୍ୱର : ଶେଷନିଦ୍ରାରେ ବିଶିଷ୍ଟ କବି ତଥା ସାହିତ୍ୟ ସାଧକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ୬୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଚିର ବିଦାୟ ନେଇଛନ୍ତି ଏହି ଲସାରସ୍ୱତ ସାଧକ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସେ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ। ଅଧ୍ୟାପନା ସହ ସାହିତ୍ୟ ସାଧନାରୁ ‘ସମ୍ବାଦ’ ସହ ତାଙ୍କର ସଂପର୍କ ଏବଂ ଶେଷରେ ଦୈନିକ ‘ସର୍ବସାଧାରଣ’ର ମୁଖ୍ୟ ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଭାବେ ଦୁଇ ଥର କାର୍ଯ୍ୟ କରିଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଓ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
୧୯୫୩ ମସିହାରେ ଜନ୍ମିତ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଅବସର ପରେ ଦୈନିକ ‘ସର୍ବସାଧାରଣ’ର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଡ.ପରିଚ୍ଛା ପଟ୍ଟନାୟକ ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶକ ସଂସ୍ଥାର ନିର୍ଦ୍ଦେଶକ ଭାବେ ୨୦୧୧ରେ ଅବସର ଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ କବି, ସମାଲୋଚକ , ଅନୁବାଦକ ଓ ସଂପାଦକ ଭାବେ ସାହିତ୍ୟ ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କର କବିତା ସଂକଳନ ମଧ୍ୟରେ ପିଙ୍କି କଥା (୧୯୭୬),ଏକା ଏକା ସନ୍ୟାସୀ (୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ (୧୯୯୫), ସବୁଅନ୍ଧାର ଆଜି ରାତିରେ (୧୯୯୬), ଜୀବନ ଜଙ୍ଘା (୨୦୦୪) ଓ ଅରଣ୍ୟରେ ଯେତେ ଦିନ (୨୦୦୭) ଅନ୍ୟତମ। କବିତା ସଂକଳନ ‘ନଷ୍ଟ ହୋଇଯାଇଥିବା ମୋହ’ ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଏଥିସହ ସେ ଲେଖନୀ ଚଳନା କରି ଅନୁବାଦ ସାହିତ୍ୟକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି। ନିରବତାର ସ୍ୱର(ଗ୍ରୀକ୍ କବିତାଗୁଡ଼ିକର ଓଡ଼ିଆ ଅନୁବାଦ) , Solder in Exile( ରମାକାନ୍ତ ରଥଙ୍କ କିଛି କବିତାର ଇଂରାଜୀ ଅନୁବାଦ),Hawk and Other Stories(ହୃଷୀକେଶ ପଣ୍ଡାଙ୍କ ଗପର ଇଂରାଜୀ ଅନୁବାଦ ଓ ସମ୍ପାଦନା) ଓ Selected Oriya Poems(କବି ସୀତାକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ସହ ଓଡ଼ିଆ କବିତାର ଇଂରାଜୀ ଅନୁବାଦ) ଆଦି ସଫଳ କୃତୀ ତାଙ୍କର ଅନୁବାଦ ଉତ୍କର୍ଷକୁ ପ୍ରତିପାଦିତ କରେ। ଏଥିସହ ସେ ଜଣେ ସଫଳ ସ୍ତମ୍ଭକାର ଥିଲେ ଏବଂ ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ସାହିତ୍ୟ ସମାଲୋଚନାଧର୍ମୀ ପ୍ରବନ୍ଧ ରଚନା କରିଯାଇଛନ୍ତି। ତାଙ୍କର ସାରସ୍ବତ ଅବଦାନ ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ ଓ ଗଙ୍ଗାଧର ମେହେର କବିତା ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି।
