ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ! ହୋଟେଲ ପରିବର୍ତ୍ତେ ରାଜଭବନରେ ରହିବେ ରାଷ୍ଟ୍ରପତି
ପୁରୀ : ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ଫ୍ରେବୃୟାରୀ ୧୯ ଓ ୨୦ତାରିଖ ଧାର୍ଯ୍ୟ କରାଯାଇଛି । ଏହା ସହ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ବର୍ତ୍ତମାନ ଏହି କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ରାଷ୍ଟ୍ରପତି ୧୯ ତାରିଖ ରାତିରେ ହୋଟେଲ ପରିବର୍ତ୍ତେ ରାଜଭବନରେ ରାତ୍ରି ଜାପନ କରିବେ । ଏନେଇ ସୂଚନା ଦେଇଛନ୍ତି ଜିଲାପାଳ ସମର୍ଥ ବର୍ମା ।
ଆସନ୍ତା ୧୯ ତାରିଖରେ ପୁରୀ ଗସ୍ତରେ ଆସି ସନ୍ଧ୍ୟା ୫ଟାରୁ ୫ଟା ୪୫ମିନିଟ୍ ମଧ୍ୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ପରିବାର ସହ ଗର୍ଭଗୃହରେ ଦର୍ଶନ କରିବେ । ଏଥିପାଇଁ ଅପରାହ୍ନ ୪ଟାରୁ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତିଙ୍କୁ ସିଂହଦ୍ବାରରେ ଗଜପତି ଦିବ୍ୟସିଂହ ଦେବ, ଛତିଶା ନିଯୋଗ ନାୟକ, କୌଳିକ ପଣ୍ଡା ପାଛୋଟି ନେବେର ବ୍ୟବସ୍ଥା ରହିଛି ।
