କୋଭିଡ୍ କଟକଣାରେ ସରିଲା ପ୍ରସିଦ୍ଧ ପୋଡ଼ାଗଡ଼ ମଣ୍ଡେଇ ଉତ୍ସବ
ଉମରକୋଟ: ନବରଙ୍ଗପୁର ଜିଲାର ଉମରକୋଟ ବ୍ଳକ ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମଠାରେ ଶେଷ ହୋଇଯାଇଛି ପ୍ରସିଦ୍ଧ ପୋଡ଼ାଗଡ଼ ମଣ୍ଡେଇ ଉତ୍ସବ । ଏହି ମଣ୍ଡେଇ ଉତ୍ସବର ବିଶେଷତ୍ଵ ହେଉଛି ଯେ, ଏହା ହେଉଛି ଆଦିବାସୀମାନଙ୍କ ପର୍ବ ମାଘ ମଣ୍ଡେଇ । ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଶିରା, ପାଲିଙ୍କି, ଲାଠି, କୁର୍ଚ୍ଚି ସବୁ ଏକତ୍ରିତ ହୋଇଥିଲା । ପରେ ବାଜା-ମହୁରୀ ତାଳେ ତାଳେ ନାଚ କରି ଠାକୁରମାନଙ୍କୁ ଗ୍ରାମ ଓ ହାଟ ପରିକ୍ରମା କରାଯାଇଥିଲା । ସୋମବାର ଏହି ସବୁ କାର୍ଯ୍ୟକ୍ରମ ଶେଷ ହେବା ପରେ ମଙ୍ଗଳବାର ଏକାଠି ହୋଇଥିବା ୯୩ଟି ମୌଜାର ଲାଠି, କୁର୍ଚ୍ଚି, ବିମାନ ପ୍ରତୀକ ପଟୁଆର ସହ ନିଜ ନିଜ ଗ୍ରାମକୁ ଫେରିଛନ୍ତି ।
କୋଭିଡ୍ କଟକଣା ଯୋଗୁଁ ପୋଡ଼ାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟି ସଭାପତି, ଉପ-ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶେଷ ହୋଇଛି । ପ୍ରଶାସନର ଅନୁମତି ମିଳିବା ପରେ ମଣ୍ଡେଇର ମୁଖ୍ୟ ଉପଦେଷ୍ଟା କୈଳାସ ବେହେରା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କୋଭିଡ୍ କଟକଣା ଯୋଗୁଁ ବିଶେଷ ଗହଳି ନକରି ରୀତିନୀତି ଅନୁଯାୟୀ ଦେବଦେବୀଙ୍କ ମଣ୍ଡେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଏହି ଅବସରରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ପ୍ରଚାର ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରାର୍ଥୀମାନେ ଲୋକମାନଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ।
