ସେବିର କାର୍ଯ୍ୟାନୁଷ୍ଠାନ! ୩ ମାସ ଯାଏଁ ସେୟାର ବଜାରରେ କୌଣସି କାରବାର କରିପାରିବେନି ଅନିଲ ଅମ୍ବାନୀ
ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କ ସମୟ ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ବର୍ତ୍ତମାନ ମାର୍କେଟ ରେଗୁଲେଟର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ତାଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାସହିତ ସେବି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ତେଣୁ ଉଭୟଙ୍କ ଉପରେ ସେୟାର ମାର୍କେଟରେ କାରବାର ଉପରେ କଟକଣା ଲାଗୁ ହୋଇଛି । ଏହି କଟକଣା ୩ ମାସ ଯାଏଁ ବଳବତ୍ତର ରହିବ । ସେହିପରି ସେବି ନିଜ ଅନ୍ତରୀଣ ଆଦେଶରେ କହିଛିଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ କୌଣସି କାରବାର କରିପାରିବ ନାହିଁ । ଏହି କମ୍ପାନୀ ସହ ସମ୍ବନ୍ଧ ରଖୁଥିବା ବ୍ୟକ୍ତି ବିଶେଷ ଓ କମ୍ପାନୀକୁ ରିଲାଏନ୍ସ ହୋମ୍ ସହ ସମ୍ପର୍କ ରଖିବାକୁ ମନା କରାଯାଇଛି । ଏହି କଟକଣା ଆଗାମୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କମ୍ପାନୀ ସହ ଜଡିତ ଠକେଇ ଅଭିଯୋଗରେ ସେବି ଶୁକ୍ରବାର ଦିନ ଅନିଲ ଅମ୍ବାନୀ ଏବଂ ଅନ୍ୟ ତିନିଜଣଙ୍କୁ ସେୟାର ମାର୍କେଟରେ କାରବାର ଉପରେ କଟକଣା ଲଗାଇଛି । ସେଠାରେ ଅନ୍ୟ ତିନି ଜଣ ହେଉଛନ୍ତି ଅମିତ ବାପନା, ରବୀନ୍ଦ୍ର ସୁଧାକର ଓ ପିଙ୍କେଶ ଆର ଶାହଙ୍କ ଉପରେ ମଧ୍ୟ କଟକଣା ଲାଗିଛି ।
