କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆରମ୍ଭ ହେଲା ‘ଫାବି ସ୍ପ୍ରେ’
ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି ମହାମାରୀ କରୋନା । ଚାରିଆଡେ କରୋନାକୁ ନେଇ ହାହାକାର ପରିସ୍ଥିତି । ତେବେ ଏହି ମାରାତ୍ମକ ଭାଇରସକୁ ଏବେ ମାତ୍ ଦେବ ନାଜାଲ ସ୍ପ୍ରେ । ଟିକା ଏବଂ ଔଷଧ ପରେ ଭାରତ ବଜାରରେ ଲଂଚ ହୋଇଛି କରୋନା ବିରୋଧୀ ନାଜାଲ ସ୍ପ୍ରେ, ଯହାର ନାଁ ରହିଛି ‘ଫାବି ସ୍ପ୍ରେ’ । ମୁମ୍ବାଇ ସ୍ଥିତ ଗ୍ଲୋବାଲ ଫାର୍ମା କମ୍ପାନୀ ଗ୍ଲେନମାର୍କ କରୋନାରେ ଆକ୍ରାନ୍ତ ହୋଇଥିବା ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ କାନାଡା କମ୍ପାନୀ ସହ ମିଶି ଏହି ନାଜାଲ ସ୍ପ୍ରେ ତିଆରି କରିଛି । ଏହା ଭାରତର ପ୍ରଥମ ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ ସ୍ପ୍ରେ । ଏହି ସ୍ପ୍ରେ ସେମାନଙ୍କ ପାଇଁ ଯେଉଁମାନେ କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହେବା ଆଶଙ୍କା ରହିଛି ।
‘ଫାବିସ୍ପ୍ରେ’ର ପ୍ରସ୍ତୁତି ଏବଂ ବିକ୍ରି ଲାଗି ‘ଗ୍ଲେନ୍ମାର୍କ’ ତ୍ୱାରାନ୍ୱିତ ଅନୁମୋଦନ ପ୍ରକ୍ରିୟାର ଅଂଶବିଶେଷ ଭାବେ ‘ଡ୍ରଗ୍ କେଂଟ୍ରାଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ ଠାରୁ ଅନୁମୋଦନ ପାଇଛି । କୋଭିଡ୍-୧୯ ଚିକିତ୍ସା ନିମନ୍ତେ ଏହି ଔଷଧକୁ ନାକ ଭିତରେ ‘ସ୍ପ୍ରେ’ କରାଯିବ । ଏହି ନାଜାଲ ସ୍ପ୍ରେର ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଏହି ଔଷଧ ୨୪ ଘଂଟାରେ ୯୪% ଏବଂ ୪୮%ରେ ୯୯% ଭୂତାଣୁ ହ୍ରାସ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି । ନିରାପଦ ସାବ୍ୟସ୍ତ ହୋଇଥିବା ‘ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ୍ ସ୍ପ୍ରେ’କୁ (ନନ୍ସ୍) କୋଭିଡ୍-୧୯ ରୋଗୀମାନେ ଭଲ ଭାବେ ସହ୍ୟ କରିପାରୁଛନ୍ତି । ‘ଫାବିସ୍ପ୍ରେ’ ବ୍ରାଣ୍ଡ ନାମରେ ‘ଗ୍ଲେନ୍ମାର୍କ’ ଏହାର ବିକ୍ରି କରିବ । କମ୍ପାନି କହିଛି ଯେ, ‘ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ୍ ସ୍ପ୍ରେ’କୁ ନାକର ‘ମ୍ୟୁକୋସା’ ଉପରେ ସ୍ପ୍ରେ କରିବା ଦ୍ୱାରା ଏହା ଭୂତାଣୁ ବିରୋଧରେ ଲଢ଼ିବା ଭଳି କାମ କରେ । କୋଭିଡ୍-୧୯ ଚିକିତ୍ସା କ୍ଷେତ୍ରରେ ଏହି ‘ସ୍ପ୍ରେ’କୁ ଗୋଟାଏ ଫଳପ୍ରଦ ଏବଂ ନିରାପଦ ଭୂତାଣୁ ବିରୋଧୀ ଚିକିତ୍ସା ବୋଲି କହି ‘ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ୍ସ୍ ଲିମିଟେଡ୍’ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ରବର୍ଟ କ୍ରୋକାଟ୍ କହିଛନ୍ତି, ‘ଏହା ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ଏବଂ ସମୁଚ୍ଚିତ ସମୟରେ ଚିକିତ୍ସା ପାଇଁ ବିକଳ୍ପ ହୋଇପାରିବ ବୋଲି ଆମର ଭରସା ଅଛି ।’
