ସିଙ୍ଗଲ ଡୋଜ୍ ସ୍ପୁଟନିକ ଲାଇଟ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି
ନୂଆଦିଲ୍ଲୀ : ସିଙ୍ଗଲ ଡୋଜ୍ ସ୍ପୁଟନିକ ଲାଇଟ କୋଭିଡ ଟିକାର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି । ଭାରତରେ କୋଭିଡ ବିରୋଧରେ ଏହା ନବମ ଟିକା । ପୂର୍ବରୁ ‘ସ୍ପୁଟନିକ ଭି’ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ।
ସୂଚନା ଯେ, ସ୍ପୁଟନିକ ଭି ଟିକାର ଦୁଇଟି ଡୋଜ ଯାହା ସ୍ପୁଟନିକ ଲାଇଟର ଗୋଟିଏ ଡୋଜ ତାହା ବୋଲି ରୁଷୀୟ ଲ୍ୟାବ ଘୋଷଣା କରି ସାରିଛି। ସ୍ପୁଟନିକ ଲାଇଟ୍ ସିଙ୍ଗଲ ଡୋଜ ଟିକାର ସଫଳତା ହାର ୭୯.୪ ପ୍ରତିଶତ ବୋଲି କୁହାଯାଇଛି। ମାତ୍ର ଦୁଇଟି ଡୋଜ ସ୍ପୁଟନିକ ଭି’ର ସଫଳତା ହାର ୯୭.୬ ପ୍ରତିଶତ ବୋଲି ଦାବି କରାଯାଇଛି। ତଥାପି ଭାରତରେ ଲୋକସଂଖ୍ୟା ଦୃଷ୍ଟିରୁ ସିଙ୍ଗଲ ଡୋଜ ସ୍ପୁଟନିକ ଲାଇଟର ଆବଶ୍ୟକତା ବଢ଼ିଛି। ଏନେଇ ଗତ ଏପ୍ରିଲରେ ଡାକ୍ତର ରେଡ୍ଡୀ ଲ୍ୟାବ ସ୍ପୁଟନିକ ଭି’ର ଟ୍ରାଏଲ ଶେଷ କରିବା ସହ ଏହାର ଜରୁରୀ ବ୍ୟବହାର ନେଇ ଅନୁମତି ହାସଲ କରିଥିଲା। ଯାହା ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଦିଆଯିବା ଆରମ୍ଭ କରିଛି।
