ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଜାରି ହେବ ଡାକ ଟିକେଟ
ନୂଆଦିଲ୍ଲୀ : ଭାରତ ସରକାର କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବାକୁ ଯାଉଛନ୍ତି । ସୋମବାର ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଗତକାଲି ସ୍ୱର ସମ୍ରାଜ୍ଞୀ ଲତାଜୀଙ୍କର ଦେହାନ୍ତ ହେବା ପରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁମ୍ବାଇ ଯାଇ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଥିବା ଦେଖାଯାଇଥିଲା । ଏବେ ସ୍ୱର କୋକିଳାଙ୍କୁ ସମ୍ମାନ ଦେବାକୁ ଯାଇ ଭାରତ ସରକାର ଲତା ମଙ୍ଗେସକରଙ୍କୁ ନେଇ ଡାକ ଟିକେଟ ଜାରି କରିବାକୁ ନିଷ୍ପତି ନେଇଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।
ସୂଚନା ଯେ, କରୋନା ସଂକ୍ରମିତ ହେବା ପରେ ଗତ ଜାନୁଆରି ୮ ତାରିଖରେ ଲତାଙ୍କୁ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାର ଆଇସିୟୁରେ ଭର୍ତି କରାଯାଇଥିଲା । ସେଠାରେ ସେ ଭେଂଟିଲେଟରରେ ରହିବା ସହିତ ଉଭୟ କରୋନା ଓ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ । କିଛି ସପ୍ତାହ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ । କିନ୍ତୁ ଶନିବାର ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଥିଲା । ଡାକ୍ତରମାନେ ତାଙ୍କୁ ଆଇସିୟୁକୁ ନେବା ସହିତ ଭେଂଟିଲେଟରରେ ରଖି ଚିକିତ୍ସା କରିଥିଲେ । ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ୱେ ଗତ ରବିବାର ଲତା ଆଖି ବୁଜିଥିଲେ । ଏହା ପରେ ଶିବାଜୀ ପାର୍କ ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ଶେଷକୃତ୍ୟ ପାଇଁ ଶ୍ମଶାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପୱାର, ବଲିଉଡ ଅଭିନେତା ଶାହରୁଖ ଖାନ, ରଣବୀର କପୁର, ଅଭିନେତ୍ରୀ ଶ୍ରଦ୍ଧା କପୁର, ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ପହଂଚିଥିଲେ ।
